କାର୍ଯ୍ୟକ୍ଷମ ପୂର୍ବରୁ ପାଣି ଗଳୁଛି ପାଣି ଟାଙ୍କିରୁ, ପ୍ରଶାସନିକ ଦୃଷ୍ଟି ପଡୁ

ଗଣିଆ – ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ତରଫରୁ ଗ୍ରାମ ଗୁଡିକରେ ପାଣି ଟାଙ୍କି ନିର୍ମାଣ କରାଯାଉଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ କିଛି ଅପାରଗ ଠିକାଦାରଙ୍କ ଯୋଗୁଁ ସରକାରଙ୍କର ଏହି ଜନହିତକର ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ନିମ୍ନମାନର କାର୍ଯ୍ୟ କରି ତରବରିଆ ଭାବେ କାର୍ଯ୍ୟ ସାରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ତାମରଝୋଲା ଗାଁ ମୁଣ୍ଡରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଉଛି । ତେବେ ପାଣିଟାଙ୍କି ନିର୍ମାଣ ସରି କାର୍ଯ୍ୟକ୍ଷମ ହେବା ପୂର୍ବରୁ ଟାଙ୍କିରୁ ପାଣି ଗଳୁଥିବା ଅଭିଯୋଗ ହୋଇଛି । ଠିକାଦାର ଉକ୍ତ ଟାଙ୍କିରେ ପ୍ୟାଚ ପକାଉଥିବା ବେଳେ ପଚାରିବାରୁ ନିର୍ମାଣ କରୁଥିବା ମିସ୍ତ୍ରୀ ଉପରେ ଦୋଷ ଢାଳିବାକୁ ଚେଷ୍ଟା କରିଛନ୍ତି । କାର୍ଯ୍ୟକ୍ଷମ ପୂର୍ବରୁ ପାଣି ଗଳୁଥିବାରୁ ଉକ୍ତ ପାଣି ଟାଙ୍କିର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି କାର୍ଯ୍ୟ ସରିବାକୁ ବସିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ଫଳକ ଲାଗି ନାହିଁ । କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯାଇ କାର୍ଯ୍ୟର ସବିଶେଷ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଠିକାଦାର ତାଙ୍କ ମନମୁଖୀ କରୁଛନ୍ତି । ଏ ସମ୍ପର୍କରେ ପଚାରିବାରୁ ପାଣିଟାଙ୍କି ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ ସରିବା ପରେ ପାଚେରୀରେ ଫଳକ ଲେଖିଦେବୁ ବୋଲି ପ୍ରକାଶ କରିଛନ୍ତି । ତେବେ ପଞ୍ଚାୟତ ଠାରୁ ଦୂର ଏକ ଅପହଞ୍ଚ ସ୍ଥାନରେ ଏହି ଟାଙ୍କି ନିର୍ମାଣ କରାଯାଉଥିବାରୁ ତଦାରଖ କରିବାକୁ କେହି ନଥିବାରୁ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ତେବେ କାର୍ଯ୍ୟ ସାରିବା ପୂର୍ବରୁ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *