ତରକୋର ପଞ୍ଚାୟତରେ ହେଉନି ପାନୀୟ ଜଳ ଯୋଗାଣ
– , ନଈ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ଲୋକେ।କୋଣାର୍କ,୧୧.୧୧ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ତରକୋର ପଞ୍ଚାୟତରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଦୈନଦିନ ହେଉ ନଥିବାରୁ ନଈ ପାଣି ପିଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତି ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ଅନେକ ପ୍ରକଳ୍ପ, ଯୋଜନା ଓ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ଗୋପ ବ୍ଳକ୍ ପ୍ରଶାସନ ଓ ତରକୋର ପଞ୍ଚାୟତ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ୱଚ୍ଛ ପାନୀୟ ଜଳ ନପାଇ କେତେକ ଗ୍ରାମର ଲୋକେ ବେମାରରେ ପଡ଼ୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ତରକୋର ପଞ୍ଚାୟତ ଜଗନ୍ନାଥପୁର, ମଲିଆ ତୁଠ ଆଦି ଗ୍ରାମର ନଳକୂପରୁ ଆଇରନ ପାଣି ବାହାରୁଥିବା ଯୋଗୁଁ ଏହା ରନ୍ଧନ କିମ୍ବା ପିଇବା ଯୋଗ୍ୟ ନୁହେ। ତେଣୁ କାହିଁ କେଉଁ କାଳରୁ ଲୋକମାନେ ନିକଟସ୍ଥ କୁଶଭଦ୍ରା ନଦୀରୁ ପାଣି ଆଣି ରୋଷେଇ କରିବା ସହ ପିଇବା ବ୍ୟବସ୍ଥା କରନ୍ତି। ଏଥି ଯୋଗୁ ପୁର୍ବରୁ ଅନେକ ଲୋକ ବିଭିନ୍ନ ରୋଗରେ ପୀଡିତ ହେଇଛନ୍ତି। ପ୍ରଶାସନ ପକ୍ଷରୁ ପାଇପ ଲାଇନ କିମ୍ବା ଗଭୀର ନଳକୂପ ବ୍ୟବସ୍ଥା ନଥିବାରୁ ବ୍ଳକ୍ ପ୍ରଶାସନ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଟ୍ରାକ୍ଟର ଟ୍ୟାଙ୍କର ଜରିଆରେ ଦୈନଦିନ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା। ଏ ବାବଦରେ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସ୍ଥାନୀୟ ସରପଞ୍ଚ ଶୁଶାନ୍ତ ପରିଡ଼ାଙ୍କ ଅଯୋଗ୍ୟ ପଣିଆରୁ ୧୦୦ରୁ ଉର୍ଦ୍ଧ୍ବ ପରିବାର ପିଇବା ପାଣି ମୁନ୍ଦେ ପାଉ ନାହାଁନ୍ତି। ପ୍ରତିଦିନ ବଦଳରେ ୮ଦିନ ୧୦ଦିନ ରେ ପାଣି ଯୋଗାଇ ଦିଆଯାଉଛି। ଯାହା ଫଳରେ ସ୍ଥାନୀୟ ଲୋକମାନେ ନଈରୁ ପନୀୟ ଜଳ ଆଣି ବ୍ୟବହାର କରୁଛନ୍ତି। ତେଣୁ ଝାଡ଼ା, ବାନ୍ତି ସହ ନାନାଦି ରୋଗରେ ପଡି ଆକ୍ରାନ୍ତ ହେଉଛନ୍ତି। ପାଣି ଯୋଗାଇ ଦେବାକୁ ଟଙ୍କା ମିଳୁନାହିଁ ବୋଲି ସରପଞ୍ଚ ଲୋକଙ୍କୁ କହି ଭୁଆଁ ବୁଲାଉଛନ୍ତି। ଏନେଇ ବ୍ଲକ୍ ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ହେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ଓ ଗୋପ ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଉଭୟ ଫୋନ କଲ୍ ଉଠାଇନଥିଲେ।
