ବିଜାମାଳରେ ବର୍ଷା ଦିନରେ ଜଳକଷ୍ଟ..ମାସେ ଗଲାନି ଜଳଯୋଗାଣ କାମ ହୋଇନାହିଁ
ମୁରିବାହାଲ ;o୮/୦୯/୨୫ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବିଜାମାଳ ଗ୍ରାମରେ ବର୍ଷା ଦିନରେ ଜଳକଷ୍ଟ ସମସ୍ୟା ଦେଖାଦେଇଛି।ଚଳିତ ବର୍ଷ ମାତ୍ର ଏକ ମାସ ତଳେ ନୂତନ ଭାବେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଗାଁକୁ କରାଯାଇଥିବା ଜଳ ଯୋଗାଣରେ ନାହିଁ ନ ଥିବା ଅସୁବିଧା ସମ୍ପର୍କରେ ଗ୍ରାମବାସୀ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।ସୋମବାର ବିଜାମାଳ ଗ୍ରାମବାସୀ ପତ୍ରାପାଲି(ଖ) ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରକୁ ଯାଇ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବକ ଦୀର୍ଘଦିନର ଦାବୀ ପରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମକୁ ଦାୟିତ୍ୱରେ ଥିବା ଠିକାଦାର ଶେଷ କରି ଗାଁକୁ ପାନୀୟ ଜଳଯୋଗାଣ ଆରମ୍ଭ କରିଥିଲେ।କିନ୍ତୁ ଏହି ପାନୀୟ ଜଳଯୋଗାଣରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମରେ ଦିଆଯାଇଥିବା ପାଣି ପାଇପଗୁଡ଼ିକ ବହୁ ସ୍ଥାନରେ ଫାଟି ଯାଇଥିବା ବେଳେ ପାଇପ ପଏଣ୍ଟମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ କାମ କରାଯାଇନାହିଁ।ଫଳରେ ପାଣି ମୋଟର ଚାଲୁ କଲେ ସବୁତକ ପାଣି ଚାରିଆଡ଼େ ଲିକ୍ ହୋଇ ଗାଁ ଦାଣ୍ଡରେ ବହି ଯାଉଛି। ଓଭର ହେଡ ପାଣି ଟାଙ୍କିରୁ ମଧ୍ୟ ସବୁବେଳେ ଅନବରତ ଭାବେ ପାଣି ଝରୁଛି।ଏ ନେଇ ଗ୍ରାମବାସୀ ସଂପୃକ୍ତ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାରର ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ସେମାନେ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଥିଲେ।ଅତି ନିମ୍ନମାନର ପ୍ରକଳ୍ପ କାମ କରିଥିବା ଠିକାଦାର ଓ ଦାୟିତ୍ୱରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଯନ୍ତ୍ରୀମାନଙ୍କ ଗୁରୁତର ଅବହେଳା ଯୋଗୁଁ ଗ୍ରାମବାସୀମାନଙ୍କୁ ବର୍ଷା ଦିନରେ ମଧ୍ୟ ଜଳକଷ୍ଟର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି।ଲିଖିତ ଅଭିଯୋଗ ପତ୍ର ଗ୍ରହଣ କରି ବିଡ଼ିଓ ଉପସ୍ଥିତ ଆରଡବଲ୍ୟୁଏସଏସ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଠିକାଦାରକୁ ଡାକି କାମର ନିଶ୍ଚିତ ତଦାରଖ ସହ ଆଉ ଥରେ କାମ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଦାବିପତ୍ର ପ୍ରଦାନ ବେଳେ ଗ୍ରାମର ପତିରାମ ପଧାନ,ଭୁବନ ପ୍ରଧାନୀ,ଥବୀର ସା,ମହେନ୍ଦ୍ର ପଧାନ,ପବିତ୍ର ହରପାଲ,ଦେବକାନ୍ତି ତାଣ୍ଡି,କବି ମୁଦୁଲି,ଘାସିରାମ ସା,ନରୋତ୍ତମ ମାଝୀ, ଅମ୍ବିକା ପଧାନ,ସୌଦାମିନୀ ଜାନି ଓ ବାଞ୍ଛାନିଧି ବଗର୍ତ୍ତିଙ୍କ ସହ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଥିଲେ।ଆଗାମୀ କିଛି ଦିନ ମଧ୍ୟରେ ଗୁରୁତର ପାନୀୟ ଜଳଯୋଗାଣ ଅବସ୍ଥା ନ ସୁଧିରିଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
