ମା ମାଉସୀମାଙ୍କ ମନ୍ଦିରରେ ଜଳାଶାୟୀ ନୀତି

ପୁରୀ,୧୦/୫- ବୈଶାଖ ମାସ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରବିବାର ଦିନ ବଳଗଣ୍ଡି ସ୍ଥିତ ମା ମାଉସୀମାଙ୍କ ମନ୍ଦିରରେ ଜଳାଶାୟୀ ନୀତି ନିଷ୍ଠା ଶ୍ରଦ୍ଧା ଓ ଭକ୍ତିପୂତ ଭାବେ ସମ୍ପନ୍ନ ହୋଇଯାଇଛି । ମନ୍ଦିର ପାଖ ସାହିର ବ୍ରାହ୍ମଣ ମାନେ କୂଅରୁ ପବିତ୍ର ଜଳ ମାଠିଆରେ ଆଣି ମାଙ୍କ ନାସିକା ପର୍ଯ୍ୟନ୍ତ ଜଳପୂର୍ଣ୍ଣ କରିବା ପାଇଁ ମନ୍ଦିରର ପୂଜକ ମାନଙ୍କ ଦ୍ବାରା ଜଳକୁ ଅଭିମନ୍ତ୍ରିତ କରି ମାଙ୍କ ପାଖରେ ଲାଗି କରିଥିଲେ । ଏହି ଜଳରେ ଅଗୁର,ଚନ୍ଦନ, କର୍ପୂର, କେଶର, ଜାଇଫଳ, କୁକୁମ ମିଶ୍ରିତ କରାଯାଇଥିଲା । ପରେ ଏହି ଜଳ ଆପେ ଆପେ ଅଦୃଶ୍ଯ ହୋଇଯାଇଥିଲା । ପରେ ଭୋଗରାଗ, ନୀତି ଓ ମାଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ପ୍ରବଳ ରୌଦ୍ରତାପରୁ ଭକ୍ତ ମାନେ କିପରି ରକ୍ଷା ପାଇବେ ମାଙ୍କୁ ପ୍ରାର୍ଥନା କରିଥିଲେ ।

କଥିତ ଅଛି ମାଲିନୀ ନଦୀର ଗଣ୍ଡ ବଳଗଣ୍ଡି ଠାରେ ରହିଥିଲା । ଏହା ବଡଦାଣ୍ଡକୁ ଦୁଇଭାଗ କରିଥିଲା । ସେତେବେଳେ ରଥଯାତ୍ରାରେ ୬ଟି ରଥ ନିର୍ମାଣ ହେଉଥିଲା । ମା ଏକଥା ଜାଣିପାରି ମାଳିନୀ ନଦୀକୁ ଶୋଷି ଦେଇଥିଲେ । ସେଥିପାଇଁ ମାଙ୍କୁ ଅର୍ଦ୍ଧଶୋଷୀନୀ ବା ଅର୍ଦ୍ଧାଶିନୀ କୁହାଯାଏ । ଏହି ପରମ୍ପରାକୁ ମନେ ପକାଇବା ପାଇଁ ଜଳାଶାୟୀ ନୀତି କରାଯାଉଛି ବୋଲି ପୂଜକ ବିଶ୍ବନାଥ ମିଶ୍ର କହିଛନ୍ତି । ସେଥିପାଇଁ ବାହୁଡାଯାତ୍ରା ବେଳେ ରଥାରୁଢ ଶ୍ରୀଜୀଉମାନେ ମାଉସୀମାଙ୍କ ମନ୍ଦିରରେ ପୋଡପିଠା ଅର୍ପଣ କରାଯାଇଥାଏ । ଆଜି ଜଳାଶାୟୀ ନୀତି ଓ ମାଙ୍କ ଦର୍ଶନ ପାଇଁ ଅଞ୍ଚଳବାସୀ, ଭକ୍ତ, ତୀର୍ଥଯାତ୍ରୀଙ୍କ ଗହଳି ଲାଗି ରହିଥିଲା । ଏହି ଅବସରରରେ ମାଉସୀମା ପଞ୍ଚକ ମହୋତ୍ସବ ପକ୍ଷରୁ ସଂଧ୍ଯାରେ ସୁନ୍ଦରକାଣ୍ଡ ଅନୁଷ୍ଠିତ ହୋଇଥିଲା । ଏହି ଜଳାଶାୟୀରେ ସହଯୋଗୀ ପୂଜକ ଶୁଭେନ୍ଦୁ ତ୍ରିପାଠୀ, ଲିଙ୍ଗରାଜ ପଣ୍ଡା,ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମାଙ୍କ ନୀତି ସଂପାଦାନ କରିଥିଲେ ।

Leave a Reply

Your email address will not be published. Required fields are marked *