ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାରବ l ଭାରତୀୟ କାହାଣୀଗୁଡ଼ିକୁ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପ ସହ ଯୋଡ଼ିବାରେ ୱେଭ୍ସ ଫିଲ୍ମ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପାଲଟିଛି। ଏହି ପ୍ଲାଟଫର୍ମ କିପରି ସୃଜନଶୀଳ ନିର୍ମାତାଙ୍କ ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସହଯୋଗରେ ପରିଣତ କରିବାରେ ସାହାଯ୍ୟ କରେ ତାହା ଏକ ଭାରତୀୟ ଏନିମେଟେଡ୍ ଫିଚର ଫିଲ୍ମ ନୀଲୁର ଯାତ୍ରାରୁ ସ୍ପଷ୍ଟ ହୋଇଛି। ଫିଲ୍ମ ବଜାର ସହ-ପ୍ରଯୋଜନା ବଜାରରେ ଏକ ପ୍ରସ୍ତାବ ରୂପେ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ଏବେ ସ୍ପେନ୍, ଫ୍ରାନ୍ସ ଏବଂ ବେଲଜିୟମକୁ ନେଇ ଏକ ପ୍ରମୁଖ ସହ-ପ୍ରଯୋଜନା ପ୍ରକଳ୍ପରେ ପରିଣତ ହୋଇଛି।ସରସ୍ୱତୀ ବୁୟାଲା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଦୀର୍ଘ ଚାରି ବର୍ଷରୁ ଅଧିକ ସମୟର ବ୍ୟକ୍ତିଗତ ପ୍ରତିବଦ୍ଧତା ମାଧ୍ୟମରେ ଏହାକୁ ବିକଶିତ କରାଯାଇଛି । ଏହି ପ୍ରକଳ୍ପଟି ପ୍ରଥମେ 2023 ମସିହାରେ ଫିଲ୍ମ ବଜାର ସହ-ପ୍ରଯୋଜନା ବଜାରରେ ଉପସ୍ଥାପିତ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହା ଅନୁ ସିଂହ, ବିବେକ କୃଷ୍ଣାନୀ, ଡୋରା ବାବୁ ଏବଂ ମାଇକ ୟତ୍ତମଙ୍କ ଭଳି ଶିଳ୍ପ ବିଶେଷଜ୍ଞଙ୍କଠାରୁ ମୂଲ୍ୟବାନ ମାର୍ଗଦର୍ଶନ ଏବଂ ସମର୍ଥନ ପାଇଥିଲା। ସେମାନଙ୍କ ମତାମତ ପ୍ରକଳ୍ପକୁ ମଜବୁତ କରିବା ଏବଂ ଏହାକୁ ବିଶ୍ୱସ୍ତରୀୟ ସୁଯୋଗ ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା।ଏହି ଚଳଚ୍ଚିତ୍ରଟି ଭାରତରେ ରହୁଥିବା ଜଣେ ଆଦିବାସୀ ଯୁବତୀଙ୍କ କାହାଣୀ କହିଥାଏ, ଯିଏକି କନ୍ୟାଭ୍ରୂଣ ହତ୍ୟା ଷଡ଼ଯନ୍ତ୍ରର ମୁକାବିଲା କରିଥା’ନ୍ତି । ଏନିମେସନ୍ ମାଧ୍ୟମରେ, ନୀଲୁ ଏହି ଗମ୍ଭୀର ସାମାଜିକ ସମସ୍ୟାକୁ ଆବେଗ ଓ ସମ୍ବେଦନଶୀଳତା ସହିତ ସମାଧାନ କରନ୍ତି। ଏହି ଚଳଚ୍ଚିତ୍ରଟି ଶକ୍ତିଶାଳୀ କାହାଣୀ ସହିତ ଏକ ଦୃଢ଼ ବାର୍ତ୍ତା ଦେଇଥାଏ। ସ୍ଥାନୀୟ ବାସ୍ତବତା ଉପରେ ଆଧାରିତ ଭାରତୀୟ କାହାଣୀଗୁଡ଼ିକ କିପରି ବିଶ୍ୱର ଦର୍ଶକଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରିବ ତାହା ଏ ଚଳଚ୍ଚିତ୍ରରୁ ସ୍ପଷ୍ଟ ହୋଇଥାଏ।ଚଳଚ୍ଚିତ୍ର ପାଇଁ ଏକ ପ୍ରମୁଖ ସଫଳତା ସେତିକିବେଳେ ଆସିଥିଲା ଯେତେବେଳେ ୟୁରୋପୀୟ ପ୍ରଯୋଜକ ଜାଭିୟର ୟାମାମୋଟୋ ଏବଂ ସାଇମନ ବାରିଓନୁଏଭୋ ଏହି ପ୍ରକଳ୍ପରେ ଯୋଗ ଦେଇଥିଲେ। ସେମାନଙ୍କ ସମ୍ପୃକ୍ତି ସହିତ ନୀଲୁ ଚଳଚ୍ଚିତ୍ର ସ୍ପେନ୍, ଫ୍ରାନ୍ସ ଏବଂ ବେଲଜିୟମର ଅଂଶୀଦାରମାନଙ୍କ ସହିତ ଏକ ଅଧିକୃତ ଅନ୍ତର୍ଜାତୀୟ ସହ-ପ୍ରଯୋଜନା ପ୍ରକଳ୍ପ ପାଲଟିଥିଲା। ଏହା ଭାରତୀୟ ଏନିମେସନ୍ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ବିଶ୍ୱ ଚଳଚ୍ଚିତ୍ର ଶିଳ୍ପରେ ଭାରତର ବର୍ଦ୍ଧିତ ସ୍ୱୀକୃତିକୁ ଉଜ୍ଜ୍ୱଳ କରିଛି ।ନିର୍ମାତାମାନେ ଫିଚର ଫିଲ୍ମ ଠାରୁ ଆଗକୁ ବଢ଼ି ନୀଲୁର ପରିସରକୁ ବିସ୍ତାର କରିବା ପାଇଁ ମଧ୍ୟ କାମ କରୁଛନ୍ତି। ଏହାକୁ ନେଇ ଏକ ଗ୍ରାଫିକ୍ ଉପନ୍ୟାସ ଏବଂ ଏକ ୱେବଟୁନ୍ ସିରିଜ୍ ପାଇଁ ଯୋଜନା ଚାଲିଛି, ଯାହା କାହାଣୀକୁ ବ୍ୟାପକ ଏବଂ ଯୁବ ଦର୍ଶକଙ୍କ ପାଖରେ ପହଞ୍ଚିବାରେ ତଥା ଦୀର୍ଘକାଳୀନ ବିଶ୍ୱ ଆଗ୍ରହ ସୃଷ୍ଟି କରିବାରେ ସାହାଯ୍ୟ କରିବ।ନୀଲୁ ଲସ୍ ଆଞ୍ଜେଲସରୁ ପ୍ରାରମ୍ଭିକ ନିବେଶ ପାଇସାରିଛି ଏବଂ ଅଧିକ ୟୁରୋପୀୟ ପାଣ୍ଠି ପାଇବା ପାଇଁ ବର୍ତ୍ତମାନ ଫରାସୀ ଭାଷାରେ ଏହାର ଅନୁବାଦ କରାଯାଉଛି। ଏହି ଘଟଣାକ୍ରମ ଭାରତୀୟ ଏନିମେଟେଡ୍‌ ପ୍ରକଳ୍ପଗୁଡ଼ିକ ପ୍ରତି ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ବିଶ୍ୱାସକୁ ଦର୍ଶାଉଛି।ସରସ୍ୱତୀ ଏହି ଉପଲବ୍ଧି ପାଇଁ ୱେଭ୍ସ ଫିଲ୍ମ ବଜାର 2025କୁ ଶ୍ରେୟ ଦିଅନ୍ତି । କାରଣ ଏହି ମଞ୍ଚରୁ ସେ ଦୃଢ଼ ସମର୍ଥନ, ଅର୍ଥପୂର୍ଣ୍ଣ ଶିଳ୍ପ ସଂଯୋଗ ଏବଂ ବିଶ୍ୱସ୍ତରୀୟ ପ୍ରଦର୍ଶନର ସୁଯୋଗ ପାଇଥିଲେ। ୱେଭ୍ସ ଫିଲ୍ମ ବଜାର କିପରି ଭାରତୀୟ ନିର୍ମାତାମାନଙ୍କୁ ସମର୍ଥନ କରିଚାଲିଛି ଏବଂ ସାଂସ୍କୃତିକ ଭାବରେ ମୌଳିକ କାହାଣୀଗୁଡ଼ିକୁ ସୀମା ବାହାରକୁ ଯାତ୍ରା କରି ବିଶ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରୁଛି ତାହାର ଏକ ସ୍ପଷ୍ଟ ଉଦାହରଣ ଭାବରେ ‘ନୀଲୁ’ ଠିଆ ହୋଇଛନ୍ତି।

Leave a Reply

Your email address will not be published. Required fields are marked *