ଧନ କାର୍ପଣ୍ୟ ସେବା ଫଳେ

          ଧନ କାର୍ପଣ୍ୟ ସେବା ଫଳେ

   🖊️କବିରତ୍ନ ନୂତନ କୁମାର ବେହେରା

ସକଳ ପ୍ରାଣୀ ମଧ୍ୟେ ମାନବ ଶ୍ରେଷ୍ଠ ଏ ମହୀମଣ୍ଡଳେ
ସେ ଆଶା ଆକାଂକ୍ଷା କରିଥାଏ ରହିବାକୁ ମଙ୍ଗଳେ
ସୁନାମ ଖ୍ୟାତି ଅର୍ଜେ ତା’ ଧନ କାର୍ପଣ୍ୟ ସେବା ଫଳେ
ଜୀବନକୁ ତାର କରିବା ପାଇଁ ସରସ ସୁନ୍ଦର
ସତ୍ୟାଶ୍ରୟୀ ହୋଇ ଧରମର ପଥେ ରହେ ନିରନ୍ତର
ଆତ୍ମୀୟସ୍ଵଜନ ଦୁଃଖି ରଙ୍କିର ଦୁଃଖ କରେ ଦୂର
ଅନାବିଳ ଭାବ ରଖି ସଭିଙ୍କୁ ସେ ଭଲ ପାଏ
ନିଜ ଜୀବନ ପରି ଅନ୍ୟର ଜୀବନକୁ ବିଚାରି ଥାଏ
ସତ୍ୟ ଧର୍ମ ଦୟା କ୍ଷମା ଗୁଣରେ ଗୁଣୀ ହୁଏ
ସବୁରି ଆତ୍ମା ଭିତରେ ନିଜର ଆତ୍ମାକୁ ଦେଖେ
ଶିକ୍ଷା ଦୀକ୍ଷା ପାଇ ଆତ୍ମ ସଂସ୍କାରରେ ଭାଗ୍ୟ ଲେଖେ
ତାର ଅନୁଭବ ଅଭିଜ୍ଞତାରୁ ଆତ୍ମଜ୍ଞାନ ଶିଖେ
ଜୀବନ ନିର୍ବାହ ଲାଗି ସତ୍ ଉପାୟେ ଧନ ଅରଜେ
କୁଟିଳ ଜଟିଳ ପଥ ଏଡ଼ି ଦେଇ ସୁପଥେ ଚାଲେ ସହଜେ
ଭାବଭକ୍ତି ରଖି ମନେ ପ୍ରାଣେ ପ୍ରଭୁ ପ୍ରେମେ ହଜେ
ଅର୍ଜିତ ଧନ ସମ୍ପତ୍ତିର ବିଯୋଗେ ହୁଏନା କୃପଣ
ଅନ୍ୟର ସେବା ଯତ୍ନ କରି ଦେଖାଏ ତାର ମହତପଣ
ନିଷ୍ପାପ ମନେ ନିଷ୍କଳଙ୍କ ଚରିତ୍ରରେ ରଖେ ଧ୍ୟାନ
ଲୋଭ ମୋହ ମାୟାକୁ ଭାବେ ନଗଣ୍ୟ ତୁଚ୍ଛ
ନିର୍ବିକାର ବିବେକ ବିଚାରରେ ମନକୁ ରଖିଥାଏ ସ୍ଵଚ୍ଛ
ସ୍ଵତନ୍ତ୍ର ଚିନ୍ତନରେ ପରଖେ କ’ଣ ସତ କ’ଣ ମିଛ
ନିଜର ସ୍ଵାର୍ଥକୁ ଦେଇ ଜଳାଞ୍ଜଳି କରେ ହିତ
ସମୂହଜନଙ୍କ କଲ୍ୟାଣ ଲାଗି ଭାବୁଥାଏ ଅବିରତ
ଛନ୍ଦ ମନ୍ଦ କୁଟ କପଟ ଭୁଲି କରେ ଯା’ ଉଚିତ
ଅଜ୍ଞାନ ଅନ୍ଧାର ଦୂରେଇବାକୁ ଦୀପ ସମ ସେ ଜଳେ
ହସି ହସାଇବାରେ ଜଗତକୁ ଏକନିଷ୍ଠାର ବତ୍ର ପାଳେ
ଜୀବନ ତା’ ଧନ୍ୟହୁଏ ଧନ କାର୍ପଣ୍ୟ ସେବା ଫଳେ।

          ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
              ନବସୃଜନ ଇ-ପତ୍ରିକା 

            କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *