ନବ ତରୁଣ ବିଦ୍ୟାର୍ଥୀଙ୍କ ସ୍ବାଗତ ଉତ୍ସବ ” ସ୍ଵୀକୃତି”
ନବ ତରୁଣ ବିଦ୍ୟାର୍ଥୀଙ୍କ ସ୍ବାଗତ ଉତ୍ସବ ” ସ୍ଵୀକୃତି”
ଗଣିଆ – ଗଣିଆରେ ଥିବା ଡ଼ ରାମଚନ୍ଦ୍ର ସାମନ୍ତରାୟ ବିଜ୍ଞାନ,କଳା ଏବଂ ପ୍ରଯୁକ୍ତି ବିଦ୍ୟା ଶିକ୍ଷାନୁଷ୍ଠାନ ପରିସରରେ ନୂତନ ଭାବେ ଯୋଗଦାନ କରିଥିବା ନବତରୁଣ ବିଦ୍ୟାର୍ଥୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ “ସ୍ବୀକୃତି” ଧୁମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନର ନିର୍ଦ୍ଦେଶକ କରୁଣାକର ନନ୍ଦ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡ ପବିତ୍ର କୁମାର ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଝାଡେଶ୍ବର ପାଣିଗ୍ରାହୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ପରିଚାଳନା କମିଟି ସଦସ୍ୟ କବିଚନ୍ଦ୍ର ସାମନ୍ତରାୟ, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରକୃତ ଶିକ୍ଷା ସହିତ ଉତ୍ତମ ସଂସ୍କୃତି ପ୍ରଦାନ କରିବା ସାମନ୍ତରାୟ ମହାବିଦ୍ୟାଳୟର ପ୍ରଥମ ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନେ ନିଜକୁ ସୁନ୍ଦର ଭାବେ ଗଢି ତୋଳିବାକୁ ହେଲେ ଶାଳିନତା, ସଂଯମତା ରକ୍ଷାକରିବା ସହିତ ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦାନ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତ ଦେଇଥିଲେ । ଆଜିକାଲି ଯୁଗରେ ମୋବାଇଲ ଛାତ୍ର ଛାତ୍ରୀ ମାନଙ୍କୁ ବିପଥଗାମୀ କରିଥିବାରୁ ସେଥିରୁ ଦୂରରେ ରହିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ସାମନ୍ତରାୟ ମହାବିଦ୍ୟାଳୟ ଦିନକୁ ଦିନ ତାର ଶତ ପ୍ରତିଶତ ସଫଳତା ବଜାୟ ରଖିଥିବାରୁ ଆମେ ଏଠାରେ ପାଠ ପଢି ଗର୍ବିତ ବୋଲି ପୁରାତନ ଛାତ୍ର ଛାତ୍ରୀ ମତପୋଷଣ କରିଥିଲେ । ପରିଶ୍ରମ କଲେ ଫଳ ସୁନିଶ୍ଚିତ ବୋଲି ଉପାଧ୍ୟକ୍ଷ ଶ୍ରୀ ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ସବୁଦିନ ମହାବିଦ୍ୟାଳୟକୁ ଆସିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ପରିଶେଷରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଓଡ଼ିଶା ଅଧ୍ୟାପକ ଜିତେନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ ।
