ଭାରତର ଶ୍ରମ ସଂହିତାକୁ ସ୍ୱାଗତ କଲେ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ

ଭାରତର ଶ୍ରମ ସଂହିତାକୁ ସ୍ୱାଗତ କଲେ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ
ସାମାଜିକ ସୁରକ୍ଷା ଏବଂ ସମାବେଶୀ ବିକାଶ ପାଇଁ ବିଶ୍ୱସ୍ତରୀୟ ପ୍ରଗତି ବିଷୟରେ କଲେ ଉଲ୍ଲେଖ
ଅନ୍ତର୍ଜାତୀୟ ଶ୍ରମ ସଂଗଠନର ମହାନିର୍ଦ୍ଦେଶକ ସାମାଜିକ ସୁରକ୍ଷା ଏବଂ ସର୍ବନିମ୍ନ ମଜୁରୀ ସଂହିତାକୁ କଲେ ପ୍ରଶଂସା
ବିଶ୍ୱ ସାମାଜିକ ସୁରକ୍ଷା ପ୍ରୟାସକୁ ପ୍ରୋତ୍ସାହିତ କରିବାରେ ଭାରତର ଶ୍ରମ ସଂହିତାକୁ ସ୍ୱାଗତ କଲା ଆଇଏସଏସଏ

ନୂଆଦିଲ୍ଲୀ, 22 ନଭେମ୍ବର

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଏବଂ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ (ଆଇଏସଏସଏ) ଭଳି ପ୍ରମୁଖ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ 21 ନଭେମ୍ବର 2025 ରେ ଭାରତ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଚାରୋଟି ଶ୍ରମ ସଂହିତାକୁ ସ୍ୱାଗତ କରିଛନ୍ତି। ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା, ସର୍ବନିମ୍ନ ମଜୁରୀ ଢାଞ୍ଚା ବୃଦ୍ଧି କରିବା ଏବଂ ସଂସ୍ଥାଗତ କ୍ଷମତା ନିର୍ମାଣ କରିବା ଦିଗରେ ସଂସ୍କାରଗୁଡ଼ିକୁ ଏକ ପ୍ରମୁଖ ପଦକ୍ଷେପ ବୋଲି ସେମାନେ କହିଛନ୍ତି । ଏହି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଭାରତର ପ୍ରୟାସ ସମାବେଶୀ ଏବଂ ଆଧୁନିକ ଶ୍ରମ ବ୍ୟବସ୍ଥା ଉପରେ ବ୍ୟାପକ ଅନ୍ତର୍ଜାତୀୟ ବିତର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବ। ବିଶ୍ୱ ଶ୍ରମ ଏବଂ ସାମାଜିକ ସୁରକ୍ଷା ମାନଦଣ୍ଡ ଢାଞ୍ଚାରେ ଭାରତର ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏସବୁ ସଂଗଠନର ମନ୍ତବ୍ୟ ଦ୍ୱାରା ପ୍ରମାଣିତ ହୋଇଛି ।
ଭାରତର ଶ୍ରମ ସଂସ୍କାରକୁ ଆଇଏଲଓ ମହାନିର୍ଦ୍ଦେଶକ କଲେ ପ୍ରଶଂସା
ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ମହାନିର୍ଦ୍ଦେଶକ ତାଙ୍କ ପୋଷ୍ଟରେ କହିଛନ୍ତି, ଆଜି ଘୋଷିତ ଭାରତର ନୂତନ ଶ୍ରମ ସଂହିତା ବିକାଶ ସହିତ ସାମାଜିକ ସୁରକ୍ଷା ଏବଂ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବ । ସରକାର, ନିଯୁକ୍ତିଦାତା ଏବଂ ଶ୍ରମିକଙ୍କ ମଧ୍ୟରେ ସାମାଜିକ ବିତର୍କ କ୍ଷେତ୍ରରେ ଭାରତର ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସଂସ୍କାରଗୁଡ଼ିକ ଦ୍ୱାରା ଶ୍ରମିକ ଏବଂ ବ୍ୟବସାୟ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି ହେବ।
ଭାରତର ଶ୍ରମ ସଂହିତାକୁ ସ୍ୱାଗତ କଲା ଆଇଏସଏସଏ
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଆଇଏସଏସଏ କହିଛି: ‘‘ଭାରତର ଶ୍ରମ ସଂହିତା ଦୃଢ଼ ଏବଂ ଅଧିକ ସମାବେଶୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ମଜବୁତ କରିବ। ଆଇଏସଏସଏ ଏହି ସଫଳତାକୁ ସ୍ୱାଗତ କରୁଛି ଏବଂ ସେଗୁଡ଼ିକର ପରିସର, ସୁରକ୍ଷା ଏବଂ ସଂସ୍ଥାଗତ କ୍ଷମତାରେ ନିରନ୍ତର ନିବେଶକୁ ଉତ୍ସାହିତ କରିଥାଏ।’’
ପ୍ରମୁଖ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ଏହିସବୁ ବିବୃତ୍ତି ଭାରତର ଶ୍ରମ ସଂହିତା ପ୍ରତି ସକାରାତ୍ମକ ଅନ୍ତର୍ଜାତୀୟ ପ୍ରତିକ୍ରିୟାକୁ ପ୍ରଦର୍ଶିତ କରୁଛି । ବିଶେଷକରି ନ୍ୟାୟସଙ୍ଗତ ମଜୁରୀର ପ୍ରୋତ୍ସାହନ, ସାମାଜିକ ସୁରକ୍ଷା ସୁବିଧାର ବିସ୍ତାର ଏବଂ କର୍ମଶକ୍ତିର ଅଧିକ ଆନୁଷ୍ଠାନିକୀକରଣକୁ ସେମାନେ ପ୍ରଶଂସା କରିଛନ୍ତି । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଭାରତର ଶ୍ରମ ଇକୋସିଷ୍ଟମକୁ ଆହୁରି ମଜବୁତ କରିବା ଏବଂ ସଂସ୍କାରଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଓ ଘରୋଇ ଅଂଶୀଦାରମାନଙ୍କ ସହିତ ସହଯୋଗ ଜାରି ରଖିବା ଲାଗି ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।

Leave a Reply

Your email address will not be published. Required fields are marked *