ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି

ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି

▪️କବିରତ୍ନ ନୂତନ କୁମାର ବେହେରା

ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି
ଅନ୍ତର ଭିତରର ଗର୍ବ ଅହଙ୍କାର ଭୁଲିଗଲି
ପ୍ରଭୁଙ୍କର ବାହୁ ଛାୟା ତଳେ ଆଶ୍ରୟ ନେଲି
ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଦେଲି
ମନ ମଧ୍ୟେ ନ ରହିଲା କିଛି ବି ଡ଼ର ଭୟ
ସାତ୍ତ୍ୱିକ ଚିନ୍ତନରେ ହେଲି ତନ୍ମୟ
ଦେଖିଲି ଦେଖୁଛି ସାରା ସଂସାରରେ
ମଣିଷ ଏଠି କବଳିତ ହୁଏ ଅସହାୟତାରେ
ମ୍ରିୟମାଣ ହୁଏ ରୋଗ,ଶୋକ ଓ ମୃତ୍ୟୁରେ
ଆଣି ନାହିଁ କିଛି ତଥାପି ଖୋଜୁଛି
ପାଇବା ଠାରୁ ହରାଇବାରେ ତ୍ରସ୍ତ ରହୁଛି
ଯେତିକି ଦେଇଛନ୍ତି ଦାତା ସେ ବିଶ୍ଵ ନିଅନ୍ତା
ସେତିକି ନ ବୁଝି ରଖୁଛି ବିଷମତା
ଧ୍ରୁବସତ୍ୟକୁ ଜାଣି ମଧ୍ୟ କରେ ଅସ୍ବୀକାର
ମିଛ ପ୍ରବଞ୍ଚନାରେ ପଡ଼ି ହୁଏ ସ୍ଵାର୍ଥପର
ଏତେ ସବୁ ଦୃଶ୍ୟ ମରମେ ଅନୁଭବ କଲି
ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି
ତ୍ରିତାପ ଦୁଃଖ ତ ସୃଷ୍ଟିର ବିଧି ବିଧାନ
ସେ ସବୁକୁ ଏଡ଼ି ଜୀଇଁ ହୁଏ ନାହିଁ ଜୀବନ
ମିତ ରୂପେ ଦୁଃଖ ହେଲେ ଚିର ସହଚର
ତାର ବିଷମ ସ୍ଥିତି ବି ଲାଗିବ ନିଜର
ମାନ ଅଭିମାନେ ମନ ହେବ ନାହିଁ ଅସ୍ଥିର
ନିରପେକ୍ଷ ଭାବରେ କରିବି ସ୍ଵତନ୍ତ୍ର ବିଚାର
ମହାପ୍ରଭୁ ପାଦପଦ୍ମେ ରଖିବାକୁ ଧ୍ୟାନ
ହେବି ନାହିଁ କେବେ ବିମୁଖ ରହି ଚେତନ
ସୃଷ୍ଟିର ଅକାଟ୍ୟ ସିଦ୍ଧାନ୍ତ ଚିରନ୍ତନ ସତ୍ୟ
ହେଉଅଛି ଓ ହୋଇ ଚାଲିଥିବ ନିତ୍ୟ
ଜନମ ନେଇଛି ସଂସାରରେ ତାଙ୍କ ପାଇଁ
ଲୋଡ଼ା ଯାହା ଦେଇଛନ୍ତି ତ ମଙ୍ଗଳ ଚାହିଁ
ନେବାର ତ କିଛି ନାହିଁ ମିଛେ ସାଉଁଟିବି କାହିଁ
ସତ୍ୟର ସନ୍ଧାନେ ଥିବି ଥିବା ଯାଏଁ ମୁହିଁ
ଦୁଃଖ ଦିଏ ଯନ୍ତ୍ରଣା ଯେତେ ଶିଖାଏ ବେଶି
ବନ୍ଧୁ ହୋଇ ଆଶ୍ଵସନା ଦିଏ ସେ ପାଖରେ ବସି
ଚେତନାକୁ ଜାଗ୍ରତ କରୁଥାଏ ସଦା ସର୍ବଦା
ରଖିବାକୁ ସ୍ଵାଭିମାନର ଆତ୍ମ ମର୍ଯ୍ୟାଦା
ଏତେ ସବୁ ଚିନ୍ତି ଅଭୟ ନିର୍ଭୟ ପାଇଲି
ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି…।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *