ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି

ଶୀର୍ଷକ _ଦୁଃଖ ସାଥେ ଯେବେ ବନ୍ଧୁ ବାନ୍ଧିଲି


ରୀତାରାଣୀ ଦାଶ
ଶିକ୍ଷୟିତ୍ରୀ
ବାଲେଶ୍ୱର

ଦୁଃଖ ସହ ଯେବେ ବନ୍ଧୁ ମୁଁ ବାନ୍ଧିଲି
ସେ ଦିନଟି ଥିଲା ମେଘୁଆ ପାଗ
ଆକାଶର ରଙ୍ଗ ଧୂସର ଓ ଶାନ୍ତ
ମାତ୍ର ମିଳିଥିଲା ଧୈର୍ଯ୍ୟ ଅମାପ |

ଅନ୍ଧାର ରାତ୍ରିରେ ହାତ ଧରି ଧରି ତାର
ଚାଲିବାକୁ ହୁଏ ଅନେକ ବାଟ
ଆତ୍ମା ଆଲୋକର ଗଭୀର ପ୍ରଦେଶେ
ଅନ୍ୱେଷଣ କରି ମୁକତି ପଥ |

କାନରେ କହିଲା ଗୋପନୀୟ କଥା
ଅତୀତର ଲୁହ ପରୀକ୍ଷା ଯେତେ
ପାଶୋରା ଦୁଃଖର ବାରତା ଯେତେକ
ଚିରଦିନ ପାଇଁ ପ୍ରେମର ପଥେ |

ଦୁଃଖ ନୁହେଁ ଶତ୍ରୁ ବରଂ ଏକ ବନ୍ଧୁ
ଦିଗଦର୍ଶନରେ ଅଂଶ ଆମର
ଶକ୍ତିର ସ୍ମାରକ କଠିନ ସେ ତପ
ପ୍ରତିଫଳନ ଯେ ମୂଲ୍ୟବୋଧର |

ଦୁଃଖ ସାଥେ ରହି ଭୟ ଓ ସନ୍ଦେହେ
ସାମ୍ନା କରିବାର ଶକତି ଧରେ
ମଧୁର ତିକ୍ତରେ ସଂଗୀତ ମୂର୍ଚ୍ଛନା
ତାରା ଭରା ନଭ ତଳେ ନୃତ୍ୟରେ |

ନୀରବ କ୍ଷଣରେ ଅଜିବ ଶାନ୍ତିରେ
ହୃଦୟର ମୁକ୍ତ ସଂଯୋଗ ସହ
ଦୁଃଖ ସାଥେ କରି ବନ୍ଧୁତ୍ୱ ସ୍ଥାପନ
ନୂତନ ପଥର ହେଲା ଉଦୟ |

Leave a Reply

Your email address will not be published. Required fields are marked *