ଗଣିଆ ରେ ଧଳାଜହର ବ୍ୟବସାୟୀ କୁ ଗିରଫ, ଗୋଟିଏ ଲୁନା ଜବତ ।
ଗଣିଆ -ଗଣିଆ ବସଷ୍ଟାଣ୍ଡ ଠାରେ ବ୍ରାଉନସୁଗାର ବ୍ରିକ୍ରି କରୁଥିବା ବେଳେ ଜଣକୁ ଗିରଫ କରିଛି ଗଣିଆ ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨.୫୦ ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ ଲୁନା ଜବତ କରାଯାଇଥିବା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପ୍ରକାଶ କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଗଣିଆ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ଶାହା ଆଲାମ ଖାଁ, କନେଷ୍ଟବଳ ପିତାମ୍ବର ପଟେଲ ମଙ୍ଗଳବାର ଦିବା ୪ ଘଟିକା ସମୟରେ ପାଟ୍ରୋଲି° କରୁଥିବା ବେଳେ ଗଣିଆ ଚଉବଙ୍ଗ ଛକ ଠାରେ ଥିବା ବସଷ୍ଟାଣ୍ଡ ନିକଟରେ ଗୋଟିଏ ଲୁନାରେ ଜଣେ ବ୍ୟକ୍ତି ବ୍ରାଉନସୁଗାର ବ୍ରିକ୍ରି କରୁଥିବା ଖବର ପାଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଖଣ୍ଡପଡ଼ା ବ୍ଳକ ରୟତ ଢୋଲମରା ଗ୍ରାମର ଦାସ ସେଠୀଙ୍କୁ ପଚରାଉଚରା କରିବା ସହିତ ତାଙ୍କ ଲୁନାରୁ ୨.୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ବେପାର କରୁଥିବା ଜଣାପଡିଥିଲା । ସନ୍ଧ୍ୟା ସମୟରେ ତହସିଲଦାର ପ୍ରିତିବାଳା ରଣାଙ୍କ ଉପସ୍ଥିତିରେ ଜବତ ବ୍ରାଉନସୁଗାର ଓଜନ କରାଯାଇଥିଲା । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କ ଠାରୁ ଏକ ଲୁନା ମଧ୍ୟ ଜବତ କରାଯାଇଛି । ତେବେ ଗିରଫ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗଣିଆରେ ଦିନକୁ ଦିନ ଧଳାଜହର କାୟା ବିସ୍ତାର କରି ଚାଲିଥିବା ବେଳେ ଯୁବଗୋଷ୍ଠୀ ଏହି ମାୟାରେ ପଡି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।
