ଶିକ୍ଷା ସ୍ବାସ୍ଥ୍ୟ କଥା ପଚାରେ କିଏ ?
ଅନ୍ଧାରୀ ମୂଲକର ଗାଁ “ଡମାଘାଟି”, ସରକାରୀ ସୁବିଧା ସାତସପନ, ଶିକ୍ଷା ସ୍ବାସ୍ଥ୍ୟ କଥା ପଚାରେ କିଏ ?
ଗଣିଆ – ସ୍ବାଧୀନତାର ୭୯ ବର୍ଷ ପରେ ବି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏଠାରେ ବିପର୍ଯ୍ୟସ୍ତ । ସନ୍ଧ୍ୟା ହେଲେ ଖୋଜା ପଡେ ଡିବିରି । ସରକାରୀ ସୁବିଧା ଏଠାରେ ସାତସପନ । ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନର କୁଆଁରେଞ୍ଜ ଅଧିନରେ ଅବସ୍ଥିତ ଗଣିଆ ବ୍ଳକ ବଡ଼ସିଲିଙ୍ଗା ପଞ୍ଚାୟତର ଗାଁ ଡମାଘାଟି । ଗାଁକୁ ନାହିଁ ସବୁଦିନିଆ ରାସ୍ତା । ଜଙ୍ଗଲିଆ ପାଦଚଲା ଘାଟି ରାସ୍ତା ହିଁ ଭରସା । ଏହି ଗ୍ରାମରେ ୫ଟି ପରିବାରର ୨୫ରୁ ଅଧିକ ଲୋକ ବାସ କରନ୍ତି । ଶିକ୍ଷା ବ୍ୟବସ୍ଥା ଏଠାରେ ବିପର୍ଯ୍ୟସ୍ତ । ମ୍ୟାଲେରିଆ ଓ ଝାଡାବାନ୍ତି ରୋଗର ପ୍ରକୋପ ଏଠାରେ ଅଧିକ । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହେଉନଥିବାରୁ ଦେହ ଖରାପ ହେଲେ ଦୋଳା ସାହାର୍ଯ୍ୟରେ ଗଣିଆ କିମ୍ବା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡ଼ିଥାଏ । ଚେରମୂଳି ହିଁ ଏମାନଙ୍କ ପାଇଁ ତୁରନ୍ତ ଚିକିତ୍ସା । ଅଙ୍ଗନବାଡ଼ି କେନ୍ଦ୍ର କାମଚଳା ନୀତିରେ ଚାଲିଛି । ଶିଶୁମାନେ ଏଥିରୁ ସୁଫଳ ପାଉନଥିବା ଅଭିଯୋଗ ହୋଇଛି । ଇନ୍ଦିରା ଆବାସ ଏଠାରେ ସାତସପନ । ଭଙ୍ଗା ଦଦରା ଚାଳଘର ହିଁ ଏମାନଙ୍କ ବାସସ୍ଥାନ । ପାନୀୟ ଜଳ ସମସ୍ୟା ବର୍ଷସାରା ଲାଗି ରହୁଛି । ପରିତ୍ୟକ୍ତ ଅପରିଷ୍କାର ଖୋଲାକୂଅ ହିଁ ଏମାନଙ୍କ ପାନୀୟ ଜଳର ମାଧ୍ୟମ । ବର୍ଷ ବର୍ଷ ଧରି ଏହି କୂଅ ସଫାସୁତୁରା ହେଉନଥିବା ଜଣାପଡିଛି । ଏଣୁ ବାଧ୍ୟହୋଇ ଲୋକେ ଦୂଷିତ ଜଳକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ପାହାଡିଆ ଓ ଅଣଜଳସେଚିତ ଜମିରେ କିଛି ପନିପରିବା ଚାଷକରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ତେଣୁ ଅନେକ ସମୟରେ ଚାଷ ଉପରେ ନିର୍ଭର ନକରି ଜଙ୍ଗଲ ଜାତ ଦ୍ରବ୍ଯ ଚାରମଞ୍ଜି,ମହୁଲ,ଶାଳମଞ୍ଜି,ଶାଳ ଓ ଶିଆଳି ପତ୍ରରେ ଖଲି ତିଆରି ବିକ୍ରି କରି ପେଟ ପୋଷୁଛନ୍ତି । ମୋବାଇଲ ନେଟଓ୍ବାର୍କ ନଥିବାରୁ ସମ୍ପର୍କୀୟଙ୍କୁ ଯୋଗାଯୋଗ ସମ୍ଭବ ହୁଏନାହିଁ । ଏହିପରି ଅନେକ ସମସ୍ୟାରେ ଛନ୍ଦି ହୋଇ କାଳାତିପାତ କରୁଛନ୍ତି ଆଦିବାସୀ ଲୋକେ । ଅପହଞ୍ଚ ତଥା ଘାଟି ରାସ୍ତା ହୋଇଥିବାରୁ ପ୍ରଶାସନର ପାଦ ଏଠାରେ ପଡେନାହିଁ । ସରକାରଙ୍କର ଅନେକ ଯୋଜନା ସମ୍ପର୍କରେ ଏମାନେ ସଂପୂର୍ଣ୍ଣ ଅଜ୍ଞ । ଅନେକ ସମୟରେ ବ୍ଳକ ତଥା ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ସହିତ ବ୍ଳକ ସମ୍ମୁଖରେ ଧାରଣାରେ ବସି ରହିଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନାଁ ଗନ୍ଧ ଧରୁ ନାହିଁ । ତେବେ ଦେଖିବାକୁ ବାକି ରହିଲା କେଉଁଦିନ ଏ ଅନ୍ଧାରୀ ମୂଲକର ସମସ୍ୟା ସମାଧାନ ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
