ସହରରେ ବିକାଶ ନା ରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି

ବ୍ରହ୍ମପୁର,୧୮/୦୧/୨୪ ; ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୩୭ ତଥା ଲାଞ୍ଜିପଲ୍ଲୀ ଅଞ୍ଚଳର ଚନ୍ଦନ ନଗର ଦ୍ଵିତୀୟ ଲାଇନରେ ନାଳ ନିର୍ମାଣ ହୋଇନଥିବା ଯୋଗୁଁ ନିୟମିତ ଆବର୍ଜନା ପାଣି ରାସ୍ତାରେ ଭାସୁଛି । ଦୀର୍ଘ ଦିନ ଧରି ଏହି ସମ୍ପର୍କରେ ସାହିବାସିନ୍ଦା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ସୁଦ୍ଧା ଏହି ଅଞ୍ଚଳରେ ନାଳ ନିର୍ମାଣ ହୋଇପାରିଲା ନାହିଁ । ନାଳ ଅଭାବ ଯୋଗୁଁ ବାସଗୃହ ମାନଙ୍କର କୂଅ ଗୁଡିକୁ ଆବର୍ଜନା ଜଳ ନିର୍ଗତ ହେବାରେ ଲାଗିଛି। ଏଣୁ ସାହିର ଲୋକମାନେ ବିଭିନ୍ନ ଚର୍ମ ରୋଗର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ମହାନଗର ନିଗମ ୩୭ ନମ୍ବର ୱାର୍ଡ କର୍ପୋରେଟରଙ୍କୁ ନିର୍ବାଚନ ପରବର୍ତ୍ତୀ ସମୟ ଠାରୁ ହିଁ ନାଳ ନିର୍ମାଣ ଦିଗରେ ନିବେଦନ କରାଯାଇଥିଲା । ଏବଂ ପ୍ରଥମେ ଏହି ଅଞ୍ଚଳରେ ହିଁ ନାଳ ନିର୍ମାଣ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ତେବେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଚନ୍ଦନ ନଗର ଦ୍ଵିତୀୟ ଲାଇନରେ କୌଣସି ନାଳ ନିର୍ମାଣ ହୋଇପାରୁନାହିଁ । ଅନ୍ୟ ସମସ୍ତ ସାହିମାନଙ୍କରେ ଉଭୟ ପର୍ଣ୍ଣରେ ନାଳ ନିର୍ମାଣ କରାଯାଇଥିବା ବେଳେ ଚନ୍ଦନ ନଗରରେ ଗୋଟିଏ ପାର୍ଶ୍ଵରେ ମଧ୍ୟ ନାଳ ନିର୍ମାଣ କରାନଯିବା ନିହାତି ଦୁର୍ଭାଗ୍ୟଜନକ ବୋଲି ସାହିବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଜନୈକ ଆପାର୍ଟମେଣ୍ଟ ନିର୍ମାତା ନିୟମିତ ବାଲି, ଗୋଡି ପ୍ରଭୃତି ରାସ୍ତା ମଝିରେ ଗଦା କରୁଥିବା ଯୋଗୁଁ ଲୋକମାନେ ରାସ୍ତାରେ ଚାଲିବା, ଗାଡି ଚଳାଇବା କଷ୍ଟକର ହୋଇପଡିଛି । କୌଣସି ସ୍ଥିତିରେ ଆମ୍ବୁଲାନ୍ସଟିଏ ଆବଶ୍ୟକ ପଡିଲେ ସାହି ଭିତରକୁ ପ୍ରବେଶ କରିବା ପାଇଁ କୌଣସି ସ୍ଥାନ ନାହିଁ । ଏପରିକି ବିଏମ୍‌ସିର ଅଳିଆ ଆବର୍ଜନା ବୁହା ଗାଡି ମଧ୍ୟ ଶେଷ ଭାଗ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ । ତୁରନ୍ତ ଏ ଦିଗରେ ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଚନ୍ଦନ ନଗର ବାସିନ୍ଦା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *