ଶୀତରେ ସୁନାବେଡ଼ା
ଶୀତରେ ସୁନାବେଡ଼ା
ଡ. ପ୍ରେମାନନ୍ଦ ବେହେରା
ଶୀତ ସକାଳରେ ବଣ ମଝିରେ
ଧୂଆଁ ପରି ଭାସେ
ଢଳଢଳ ଆଲୋକ,
ପଥରେ ହାଲୁକା ହାଲୁକା ପବନ
ପ୍ରକୃତି ଲେଖେ ନିରନ୍ତର
ଶାନ୍ତିର ଶାଶ୍ୱତ ସଙ୍ଗୀତ ।
ଶାଳ, ପିଆଶାଳ, ଶାଗୁଆନ, ମହୁଲ ଛାୟାରେ
ମୁଁ ଯେବେ ଯାଏଁ ବେନିଆଧସ୍ ପଥରେ
ଭିଜା ପତ୍ରରେ ଶୀତ ଟିପିଟପି
ଲେଖୁଥାଏ ଅନ୍ତରର ନୀଳ କଥା
ଚଡ଼େଇ ଗାଏ ଶୀତ ଗୀତ
ଉଚ୍ଚ ପାହାଡ଼ର ଧାରରେ ଖସୁଥିବା
ଜଳରାଶିର ମଧୁର ଧ୍ଵନି
ବନର ମନରେ ଲୁଚି ହୋଇଯାଏ ମିତ ।
ଖରଲଧସ୍ ଜଳପ୍ରପାତ ପାଖରେ
ମାଟିର ମନଲୋଭା ଘ୍ରାଣ,
ବକୁଳ ଛାୟାର ହାଲୁକା ଝାଡ଼;
ପଥରେ ପଛୁଆ ପବନ ଥମେ
ପାହାଡ଼ ଭିତରେ କହିଯାଏ କାହାଣୀ ଗୁଢ଼
ଜଙ୍ଗଲ ହୃଦରେ ଲୁଚିଥିବା ନିରବ ସ୍ଥଳ,
ସେଠାରେ ଶୀତର ସ୍ପର୍ଶ ହେଉଛି
ଜଣେ ସାନ୍ତ୍ୱନାର ମୃଣାଳୀ ପଖଳ ।
ଧୀରେ ଧୀରେ ଆଗକୁ ଗଲେ
ଶୁଣାଯାଏ ଝରଣାର କଞ୍ଚନ ଧୁନ,
ଏସ୍ଥିତିରେ ଦେଖାଦିଏ ଗୋଧସ୍ ଜଳପ୍ରପାତ
ପାହାଡ଼ ମାଝିରେ ଯେଉଁଠି
ପାଣି ଲେଖେ ରୂପସୁନ୍ଦର ଗୁଣ
ଗୋଧସ୍ ର ପାଣି ଝରି ପଡ଼େ
ସଫେଦ ଧାରାର ଧୀର ସୁରେ,
ପାହାଡ଼ ଶୃଙ୍ଗରେ ଉଠିଥିବା ପବନ
ତାହାକୁ ରଖେ ଶାନ୍ତିର ଅଭୟ ପୁରେ ।
ସନ୍ଧ୍ୟା ହେଲେ ପଥଶ୍ରାନ୍ତ ହୋଇ,
ପକ୍ଷୀମାନେ ଫେରନ୍ତି ନୀଡ଼ର ଦିଗେ
ମୁଁ ଚାଲିଯାଏ ଅନ୍ତରର ଡାକରେ
ମା ସୁନାଦେଇଙ୍କ ମନ୍ଦିର ପାଖକୁ
ମା ସୁନାଦେଇଙ୍କ ପବିତ୍ର ସ୍ଥଳ
ଶୀତ ଆଲୋକରେ ଦେଖାଯାଏ ଦୀପ୍ତ
ବନ ପଥରେ ଥିବା ପବିତ୍ର ଶକ୍ତି
କରେ ମନକୁ ଶାନ୍ତିର ସୁଦୀର୍ଘ ନିବ୍ରତ ।
ସେଠି ଦୀପଜ୍ୱାଳା ହାଲୁକା ଦୋଳେ
ଶୀତ ପବନର ହିମମୟ ଗୀତ
ଭକ୍ତିର ଛାୟା ଓ ବନର ନୀରବତା
ମିଶିଯାଏ ତାହାର ଆଶୀର୍ବାଦ
ହୋଇ ସ୍ମୃତିର ପ୍ରତୀକ ।
ସୁନାବେଡ଼ା, ବେନିଆଧସ୍,
ଖରଲଧସ୍ ଏବଂ ଗୋଧସ୍ ଧାର
ମା ସୁନାଦେଇଙ୍କ
ପବିତ୍ର କୋଳରେ ଆନନ୍ଦରେ
ଶୀତ ଦିନ କଟେ
ଶୃଙ୍ଗାରିକ ଶାନ୍ତିର ପାରାବାରରେ ।
ପଦ୍ମପୁର, ବରଗଡ଼
