କାନ୍ଦୁଛି ଶୀତ ଆସ ବସନ୍ତ
କାନ୍ଦୁଛି ଶୀତ ଆସ ବସନ୍ତ
( ରାଗ — କାଳୀ )
✍🏼କବିରତ୍ନ ନୂତନ କୁମାର ବେହେରା
କାନ୍ଦୁଛି ଶୀତ ଆସ ବସନ୍ତ
ଶୁଭ ସନ୍ଦେଶ ନେଇ,
ସବୁରି ହିତ ହେଉ ସାଧିତ
ତୁମ ପରଶ ପାଇ।
ଶୀତର ଅନ୍ତ କର ବସନ୍ତ
ମୃଦୁ ମଳୟ ଦେଇ,
ମନକୁ ଶାନ୍ତ କରୁ ଦିନାନ୍ତ
ମଙ୍ଗଳକାରୀ ହୋଇ।
ତାର ଅବଧି ଡେଇଁ ପରିଧି
ବଡ଼ ହୁଅଇ ଦିନ,
ଶୀତର ଦାଉ ଦୂରେଇ ଯାଉ
ହରଷ ହେଉ ମନ।
କମ୍ବଳ ଘୋଡ଼ି ମାରି ଘୁଙ୍ଗୁଡ଼ି
ଶୋଇବେ ନାହିଁ କେହି,
କିରଣ ପଡ଼ି କୁହୁଡ଼ି ଛାଡ଼ି
ଗଲେ ମିଳିବ ତ୍ରାହି।
ଆମ୍ଵ ବଉଳେ ପତ୍ର ଗହଳେ
ବଢ଼ଇ ଶୋଭା ଶିରୀ,
ଦକ୍ଷିଣା ଆସି ଦିଅଇ ହସି
ଅମୃତ ପଡ଼େ ଝରି।
ଫଗୁଣ ସଖୀ ମହକ ମାଖି
ସାଜେ କନିଆଁ ବେଶ,
ଉଡ଼େ ଉତ୍ତରୀ ଦିଶେ କବରୀ
କେଡ଼େ ଯତନ କେଶ।
ପ୍ରକୃତି ରାଣୀ ଦେଖାଇ ଠାଣି
ଗହଣା ପିନ୍ଧି ହସେ,
ତନୁ ମନରେ ସପନ ଭରେ
ଆଖି ତାର ଝଲସେ।
ବୃକ୍ଷର ଡ଼ାଳେ ଭାବ ବିହ୍ଵଳେ
ମୂର୍ଚ୍ଛନା ତୋଳି ପିକ,
ଗାଇବ ଗୀତ ଡ଼ାକି ତା’ ମିତ
ଖେଳି ଯିବ ମୁଲକ।
ଫୁଟି ସୁମନ ସାରା କାନନ
ବିତରି ଦେବ ବାସ,
ମଧୁପ ଗୁଞ୍ଜେ ସେ ମଧୁକୁଞ୍ଜେ
ରଚିବ ତାର ରାସ।
ଆସ ବସନ୍ତ ତୁମେ ତୁରନ୍ତ
ରଙ୍ଗରେ ଦିଅ ଭରି,
କାନ୍ଦୁଛି ଶୀତ କରାଅ ଶାନ୍ତ
ଦୁଃଖ ଯାଉ ପାସୋରି।
ଋତୁର କ୍ରମ ପ୍ରକୃତି ପ୍ରେମ
ବିଧିରେ ଚିରନ୍ତନ,
ଦୁଃଖ ସୁଖରେ ରହି ସଂସାରେ
ଧନ୍ୟ ହେଉ ଜୀବନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
