ପରକ୍ରିୟା ପ୍ରିତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା
ପରକ୍ରିୟା ପ୍ରିତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା,୩ ଜଣ କୋର୍ଟ ଚାଲାଣ ଗଣିଆ -ଗଣିଆ ବ୍ଳକ ଛାମୁଣ୍ଡିଆ ପଞ୍ଚାୟତ ଧୋବାବବରେଇ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ଘଟଣାରୁ ଜଣାପଡିଛି ଗତ ୨୪ ତାରିଖ ଶୁକ୍ରବାର ଧୋବାବରେଇ ଗ୍ରାମର ଜିତୁ ମିତ୍ର ନାୟକଙ୍କ ସ୍ତ୍ରୀ କାଜଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଝିଅର ବାପା ସଦା ନାୟକ ଝିଅକୁ ଶଶୁର ଘର ଲୋକେ ତଣ୍ଟିଚିପି ହତ୍ୟା କରିଥିବା ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଉକ୍ତ ଘଟଣାରେ ସଂପୃକ୍ତଥିବା କାଜଲଙ୍କ ସ୍ବାମୀ ଜିତୁ ମିତ୍ର ନାୟକ, ଶଶୁର ଭାଗିରଥି ନାୟକ ଏବଂ ଦିଅର ସମୀର ନାୟକଙ୍କୁ ଗଣିଆ ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ସ୍ବାମୀ ସମସ୍ତ ଘଟଣା ବର୍ଣନା କରିଥିଲା । ସ୍ତ୍ରୀ କାଜଲର ଭିଣୋଇ ସହିତ ସମ୍ପର୍କ ଥିବା ସେ ଜାଣିବା ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥିଲା । ଘଟଣା ଦିନ ଝଗଡା ଜୋରରେ ହେବା ଫଳରେ ଜିତୁ ସ୍ତ୍ରୀ କାଜଲକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ସେ ପଡିଗଲା ପରେ ତାକୁ ଏକ ଲୁଗା ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିଥିଲା । ଏହି ହତ୍ୟାରେ ତାର ବାପା ଏବଂ ଭାଇ ସହଯୋଗ କରିଥିବା ସେ ପୋଲିସ ଆଗରେ ପ୍ରକାଶ କରିଥିଲା । ତେବେ ସୋମବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ପୋଲିସ ତରଫରୁ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସହିତ ଏଏସଆଇ ଦେବାଶିଷ ସେଠୀ, ଏଏସଆଇ ମନୋରଞ୍ଜନ ପ୍ରଧାନ ପ୍ରମୁଖ ତଦନ୍ତରେ ସହଯୋଗ କରିଥିଲେ ।
