ମା ଉପରେ ଝିଅର ଅକଥନୀୟ ଅତ୍ୟାଚାର ଅସହାୟା ବ୍ରୃଦ୍ଧାଙ୍କ ସୁରକ୍ଷା ଦାବିକଲା ମହିଳା ଗ୍ରୃପ୍।

ଏରସମା : ଏରସମା ଥାନା ଜପା ପଞ୍ଚାୟତ ଅନ୍ତର୍ଗତ ଧୋବେଇ ଗ୍ରାମର ଜନୈକା ବିଧବା ବ୍ରୃଦ୍ଧା ମା’ଙ୍କୁ, ବିବାହିତା ଝିଅ ଦୀର୍ଘଦିନ ଧରି ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି।ଏହି ଘଟଣାର ପ୍ରତିବାଦ କରି,ଗୁରୁବାର ବିଭିନ୍ନ ମହିଳା ସଙ୍ଗଠନର କର୍ମକର୍ତ୍ତା,ସଦସ୍ୟା ଓ ଗ୍ରାମର ମୂରବୀ ମାନେ,ସମ୍ପୃକ୍ତା ବ୍ରୃଦ୍ଧାଙ୍କ ସୁରକ୍ଷା ଦାବି କରିଛନ୍ତି।ଉପସ୍ଥିତ ମହିଳା ମାନେ ଅଭିଯୋଗ କରିଛନ୍ତି ଯେ,ଧୋବେଇ ଗ୍ରାମର ସୁଷମା ମଣ୍ଡଳ( ୬୫) ଙ୍କର ବଡ଼ଝିଅ ସଂଯୁକ୍ତା ମଣ୍ଡଳ ସ୍ଵାମୀ ପରିତ୍ୟକ୍ତା ହୋଇ ୩ ଟି ପିଲାଙ୍କ ସହିତ ଗତ କିଛି ବର୍ଷଧରି ମା’ ସୁଷମାଙ୍କ ସହିତ ରହି ଆସୁଛନ୍ତି।ତେବେ ଗତ କିଛିଦିନ ଧରି ସଂଯୁକ୍ତା ସୁଷମାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି।ଏ ସମ୍ପର୍କରେ ସୁଷମା ଏବଂ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା।ପରବର୍ତ୍ତୀ ସମୟରେ ତାହା ପଞ୍ଚାୟତ ଏବଂ ଗ୍ରାମ କମିଟିକୁ ଯାଇଥିଲେ ମଧ୍ୟ ଘଟଣାର କୈାଣସି ସମାଧାନ ହୋଇପାରି ନଥିଲା।ତେବେ ବୁଧବାର ବିଳମ୍ୱିତ ରାତିରେ ସଂଯୁକ୍ତା ଶୁଷମାଙ୍କୁ ଆକ୍ରମଣ କରିବାରୁ ଚିତ୍କାର ଶୁଣି ଗାଁର ମହିଳା ଓ ମୂରବୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।ମହିଳା ମାନେ ସଂଯୁକ୍ତାଙ୍କୁ ବାନ୍ଧି ପକାଇ ଗାଁ ଲୋକମାନଙ୍କ ଦ୍ଵାରା ଥାନାକୁ ଜଣାଇଥିଲେ।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଂଯୁକ୍ତାଙ୍କୁ ଉଦ୍ଧାର କରିଥିଲା।ଅନ୍ୟପକ୍ଷରେ ଜଣେ ଯୁବକ ଗାଳିଗୁଲଜ କରୁଥିବାରୁ ପୁଲିସ ତାକୁ ଗାଡ଼ିରେ ବସାଇବାରୁ ଉପସ୍ଥିତ ମହିଳା ମାନଙ୍କ ପ୍ରତିବାଦ ଫଳରେ ପୁଲିସ ଛାଡିଥିଲା।ତେବେ ଏ ସମ୍ପର୍କରେ ଆଜି ଶ୍ରଦ୍ଧାଞ୍ଜଳୀ ଏସ୍ ଏଚ୍ ଜି ସଭାନେତ୍ରୀ ନନ୍ଦିନୀ ନାୟକ,ଏବଂ ଅନ୍ୟାନ୍ୟ ଏସ୍ ଏଚ୍ ଜିର କର୍ମକର୍ତ୍ତା ଓ ସଦସ୍ୟା ଚାରୁଲତା ସ୍ଵାଇଁ,ପ୍ରମିଳା ସ୍ଵାଇଁ,ଭାରତୀ ସ୍ଵାଇଁ, କଲ୍ୟାଣୀ ମଣ୍ଡଳ,ମୀନା ପରିଡା, ସରୋଜିନୀ ସାହୁ ଓ ରଶ୍ମି ରେଖା ସେଠି ପ୍ରମୁଖଙ୍କ ନେତ୍ରୃତ୍ୱରେ ଶତାଧିକ ମହିଳା ସୁଷମା ମଣ୍ଡଳଙ୍କ ଘର ସମ୍ମୁଖରେ ରୁଣ୍ଡିଭୂତ ହୋଇ ତାଙ୍କର ସୁରକ୍ଷା ଦାବି କରିଛନ୍ତି। ଖବର ପାଇ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଏହି ଗାଆଁରେ ପ‌ହଞ୍ଚି,ସୁଷମା ମଣ୍ଡଳଙ୍କୁ ସାଥିରେ ଧରି ଥାନାରେ ପହଞ୍ଚି ତାଙ୍କର ସୁରକ୍ଷା ଦାବି କରି ବୃଦ୍ଧା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *