ସମର୍ପଣ ବୃଦ୍ଧାଶ୍ରମରେ ଓ୍ବାର୍ଲ୍ଡ ଏଲ୍ଡର୍ସ ଆବିୟ୍ଯୁସ୍ ଆଓ୍ବାରନେସ୍ ଦିବସ ପାଳନ।
ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବ ବରିଷ୍ଠ ନାଗରିକଙ୍କୁ ଅବମାନନା ନ କରିବା ସଚେତନତା ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ କଳା ପରିଷଦର ସଂପାଦିକା ପ୍ରଭାସିନୀ ନନ୍ଦ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ କ୍ଷଣପ୍ରଭା କର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମସ୍ତଙ୍କର କି ପ୍ରକାର ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ଯ ଅଛି ସେ ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତମ ବ୍ଯବହାର ପ୍ରଦର୍ଶନ କରିବା, ସେମାନଙ୍କର ସେବା ସୂଷୁଶ୍ରା କରିବା ଆଦି ବହୁ ଉପାଦେୟ ବିଷୟରେ ଅତିଥି ମାନେ ପରାମର୍ଶ ଦେଇଥିଲେ। ପୁଅବୋହୂ ମାନେ ବୃଦ୍ଧବୃଦ୍ଧା ପିତାମାତାଙ୍କୁ ନିର୍ଯ୍ୟାତନା ଦେଲେ ଆଇନ୍ ର ବିଭିନ୍ନ ବ୍ଯବସ୍ଥା ସହିତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କିପରି ପଦକ୍ଷେପ ଗ୍ରହଣ କରେ ସେ ସମ୍ପର୍କରେଏକ ସଚେତନତା ନାଟକ ମଞ୍ଚସ୍ଥ ହୋଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସାମାଜିକ କର୍ମୀ ମାନେ ନିଖୁଣ ଅଭିନୟ କରି ନାଟକଟିକୁ ଜୀବନ୍ତ କରିଥିଲେ।ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ମଛଖଣ୍ଡ ମହୋଦୟା ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ। ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ଯବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ। ଅନ୍ତେବାସୀ ମାନଙ୍କ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ସମ୍ପର୍କିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିଜେ ଗୀତ ଗାଇ ଅନ୍ତେବାସୀ ମାନଙ୍କ ମଧ୍ଯରେ ନୂଆ ଉତ୍ସାହ ଉନ୍ମାଦନା ଭରି ଦେଇଥିଲେ। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନର କର୍ମଚାରୀ ମାନେ ଅନ୍ତେବାସୀ ମାନଙ୍କ ସହିତ ନାଚଗୀତ କରି ଏକ ଆନନ୍ଦ ଉଲ୍ଲାସ ଭରା ବାତାବରଣ ସ୍ରୁଷ୍ଟି କରିଥିଲେ। ସମର୍ପଣ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପଣର ବରିଷ୍ଠ ସଦସ୍ଯ ମିହିର ରଂଜନ ନାୟକ ଓ ପ୍ରଶାନ୍ତ କୁମାର ପଟ୍ଟନାୟକ ସହଯୋଗ କରିଥିଲା ବେଳେ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
