ଜୁନ ୨୭ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା

ସିଙ୍ଗଡା ବାଡିଆ ଓ ତୁମ୍ବରେ ଅଖବିନ୍ଧ ସଂଯୋଗ ପୁରୀ,୧୩/୫- ଜୁନ ୨୭ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥଖଳାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯ ଚାଲିଛି । ନିହଣ, ମୁଗୁର ଓ ବାରିସି ମାଡ ଧ୍ବନିରେ ଗୁଞ୍ଜରିତ ହେଉଛି ରଥଖଳା । ସୋମବାର ତୁମ୍ବରେ ଅର ସଂଯୋଗ କରାଯାଇଛି । ତୁମ୍ବରେ ଅର ସଂଯୋଗକୁ ପାରମ୍ପରିକ ଭାଷାରେ ସିଙ୍ଗଡା ବାଡିଆ କୁହାଯାଏ । ଭୋଇ ସେବକମାନେ ମା ଚର୍ଚ୍ଚିକାଙ୍କ ନିକଟରେ ମାଜଣା କରି ଶ୍ରୀଫଳ, ବିରିପିଠା, ସୁଆରପିଠା ସମର୍ପଣ କରିଥିଲେ । ପରେ ଭୋଇ ସର୍ଦ୍ଦାର ରବି ଭୋଇ ନଡିଆ ବାଡେଇ ପୂଜାର୍ଚ୍ଚନା କରି ତିନିରଥର ତିନୋଟି ତୁମ୍ବରେ ଅର ଯୋଡି ସିଙ୍ଗଡା ବାଡିଆ କାର୍ଯ୍ୟ ଅନୁକୂଳ କରିଛନ୍ତି । ପୂର୍ବରୁ ୪୨ ତୁମ୍ବ ବୋଳା ସରିବା ସହ ସୂତା ବାଡିଆ ଶେଷ ହୋଇଥିଲା । ଏବେ ତୁମ୍ବରେ ଅର ସଂଯୋଗ କରାଯାଉଛି । ୧୯ ତାରିଖ ଭଉଁରୀ ଦିନ ଚକ ଡେରା ନୀତି ରହିଛି ।ଏହାକୁ ଦୃଷ୍ଟିରେ ରଖି ୬ଟି ଚକ କାମ ଶେଷ କରିବା ପାଇଁ ଲାଗିପଡିଛନ୍ତି ମହାରଣା ସେବକ । ରଥଖଳାରେ କୋଣ ଗୁଜ କାଠ ଚଉପଟ କରାଯାଉଛି । ରୂପକାର ସେବକ ମାନେ କୋଣ ଗୁଜରେ ନୃସିଂହ ବିରାଳ ରୂପ ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି । ତୁମ୍ବ, ଅର,ଜୋରମୁଣ୍ଡା ବା କାଠ ତିଆରି ହାତୁଡିକୁ ଚନ୍ଦନ, ସିନ୍ଦୁର ଦେଇ ପୂଜାର୍ଚ୍ଚନା କରିଥିଲେ । ପରେ ଶ୍ରୀଫଳ ଭାଙ୍ଗି ତୁମ୍ବରେ ଗୋଟିଏ ପରେ ଗୋଟିଏ ଅର ସଂଯୋଗ କରି ଜୋର ମୁଣ୍ଡାରେ ଭୋଇ ସେବକ ମାନେ ପ୍ରହାର କରିଥିଲେ । ଏହାସହ ତୁମ୍ବ ଏବଂ ଅରକୁ ସଂଲଗ୍ନ କରି ଅରକଣ୍ଟା ବାଡିଆ ଯାଇଥିଲା । ପ୍ରତି ତୁମ୍ବରେ ୩୨ଟି ବିନ୍ଧ ଓ ୧୬ଟି ଅର ସଂଯୋଗ ହୋଇଥାଏ । ରଥଖଳାରେ ମହାରଣା ମାନେ ଗୁଜ,କୁଡ଼ୁକା ଜଳଯନ୍ତ୍ର,ତିଖ ଗୁଜ ନିର୍ମାଣ କରୁଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ୪୨ ଚକ ପାଇଁ ଅରକଣ୍ଟା କରିବା ସହ ପନ୍ଦରୀ ଓ ତୁମ୍ବର ବଳା ତିଆରି କରୁଛନ୍ତି । ତିନିରଥ ତିଆରିରେ ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ନିମଗ୍ନ ରହିଛନ୍ତି ମହାରଣା ସେବକ, ଭୋଇ ସେବକ, କରତୀ ସେବକ, ରୂପକାର ସେବକ ଓ କମାର ସେବକ ।

Leave a Reply

Your email address will not be published. Required fields are marked *