ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ

୩୦.୧୦.୨୦୨୫- ଢେଙ୍କାନାଳ ଜିଲ୍ଳା ପ୍ରଶାସନ ଏବଂ ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଆଜି ଅପରାହ୍ନ ୪ ଘଟିକା ସମୟରେ ବିଶ୍ଵ ମିତବ୍ୟୟିତା ଦିବସ -୨୦୨୫ ପାଲିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ସୁରକ୍ଷିତ ସଞ୍ଚୟ ଠକାମିରୁ ବଞ୍ଚିବାର ଏକମାତ୍ର ଉପାୟ ବୋଲି ମତବ୍ୟକ୍ତ କରିଥିଲେ। କୌଣସି ପ୍ରକାରର ଲୋଭ ଓ ଭୟ ଠାରୁ ଦୂରେଇରହି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । କେବଳ ଡାକଘର ଓ ବ୍ୟାଙ୍କ୍ ଭଳି ପ୍ରତିଷ୍ଠିତ ତଥା ନିର୍ଭର ଯୋଗ୍ୟ ପ୍ରତିଷ୍ଠାନରେ ନିଜର କଷ୍ଟଲବ୍ଧ ଅର୍ଥ ସଞ୍ଚୟ କରିବା ନିରାପଦ ବୋଲି କହିଥିଲେ। ଡ଼ି.ଏସ୍.ପି. ଶ୍ରୀମତୀ ସଂଧ୍ୟାରାଣୀ ବେଉରା ସାଇବର ଠକେଇ ଠାରୁ କିଭଳି ଦୂରେଇ ରହିବେ ସେ ସଂପର୍କରେ ବୁଝାଇ କହିିଥିଲେ । ପ୍ରାରମ୍ଭରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳର ସହ-ନିର୍ଦ୍ଦେଶକ ଶ୍ରୀମତୀ ପ୍ରଜ୍ଞା ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ୍ ମାନଙ୍କରେ ଉପଲବ୍ଧ ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡ଼ିକ ଅର୍ଥ ନିବେଶ ପାଇଁ ବେଶ୍ ସହଜ,ଅତ୍ୟନ୍ତ ସରଳ,ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସର୍ବୋତ୍କୃଷ୍ଟ ଜମା ଯୋଜନା ଭାବରେ ପରିଗଣିତ ହେଉଛି ଏବଂ ଏଥିରେ କୌଣସି ଠକାମିର ସମ୍ଭାବନା ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ବ୍ଲକ୍ ସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବଡ଼ସୁଆଁଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିୟବ୍ରତ ସେନାପତି,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ହିନ୍ଦୋଳର ପ୍ରକୃତି ପ୍ରଜୁଷା ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ଓ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିଥିବା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ଡ଼ାକଘରର କର୍ମଚାରୀ ଡ଼ାକ ଘରେ ଉପଲବ୍ଧ ସମସ୍ତ ପ୍ରକାରର ଅର୍ଥଜମା ଓ ସୁଧ ଆୟ ସଂପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟବାଦୀ ଦାଶ, ଢେଙ୍କାନାଳ ମୁଖ୍ଯ ଡ଼ାକଘରର ପୋଷ୍ଟମାଷ୍ଟର, ଅଭିଲିପ୍ସା ବିଶ୍ବାଳ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ,ସଦର ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ଶ୍ରୀମତୀ ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *