ଯକ୍ଷ ଉବାଚ
ଯକ୍ଷ ଉବାଚ
ଗୋଲୋକବିହାରୀ ବେହେରା
ବିୟୋଗ ବିଧୁରା ପ୍ରିୟତମା କାନ୍ତା
ଅଛ ତୁମେ କେତେ ଦୂରେ,
ପ୍ରଣୟ ସନ୍ଦେଶ ପଠାଉଅଛି ମୁଁ
ଆଷାଢ଼ ମେଘ ହାତରେ ।
ମେଘ ଜାଣିଅଛି ପ୍ରେମ ବିନା ଏହି
ଜୀବନ କେଡେ ଅସାର,
ବରଷା କାଳରେ ରାମଗିରି ପରେ
ହୁଏ କେତେ ହରବର ।
ସବୁବେଳେ କ’ଣ ଏ କଳା ଘୁମର
ମେଘଟା ଗରଜୁଥିବ ।
ଶରତ ଋତୁର ଶୁଭ୍ର ଜ୍ୟୋତ୍ସ୍ନାଭରା
ରଜନୀ ନିଶ୍ଚେ ଆସିବ ।
ଅନନ୍ତ ନାଗର କୋଳରୁ ଠାକୁର
ଉଠିବେ ଯୋଗନିଦ୍ରାରୁ,
ଚାରି ମାସ ପରେ ଅଭିଶାପ ମୋର
କଟିଯିବ ନିଶ୍ଚେ ଦୂରୁ।
ବିରହର ଭୋଗ ହେବାର ଫଳରେ
ସ୍ନେହ ସ୍ଵାଦ ବଢିଯାଏ,
ପ୍ରେମ ହିଁ ଜୀବନ, ଜୀବନ ହିଁ ପ୍ରେମ
ଏହି କଥା କହିଦିଏ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬
