ଯୋଗ:– ଚିତ୍ତ ବୃତ୍ତି ନିରୋଧ
ଯୋଗ:– ଚିତ୍ତ ବୃତ୍ତି ନିରୋଧ
( ରାଗ — ଆଶାବରୀ )
🖊️କବିରତ୍ନ ନୂତନ କୁମାର ବେହେରା
ଯୋଗ
ବିଜ୍ଞ ପ୍ରଜ୍ଞ ପତଞ୍ଜଳି’ ସିଦ୍ଧ ମୁନିବର’,
ଯୋଗ ଶାସ୍ତ୍ରର ପ୍ରଣେତା’ ଆଦି ସୂତ୍ରଧର।
‘ ଚିତ୍ତ ବୃତ୍ତି ନିରୋଧ ‘ ଯେ ଦେଇଛନ୍ତି ସଂଜ୍ଞା,
ଯୋଗୀ ଯୋଗ କରେ ନିତ୍ୟ ମାନି ସେଇ ଆଜ୍ଞା।
ଷଡ଼ ଦର୍ଶନ ମଧ୍ୟେ ଏ ଯୋଗ ଏକ ଦର୍ଶନ,
ଯା’ର ଆଧାରରେ ଚାଲେ ଜୀବର ଜୀବନ।
ବିରାଟ ଶାସ୍ତ୍ରର ମର୍ମ ତିନୋଟି ଶବ୍ଦରେ,
ବୁଝାଇଛନ୍ତି ପ୍ରାଞ୍ଜଳ ସରଳ ଅର୍ଥରେ।
ମାନବ ପଠନେ ତାର ପାଏ ସତ୍ୟଜ୍ଞାନ,
ସାଧନାରେ ପାଳି ତାହା ସ୍ଥିର ରଖେ ମନ।
ଚିତ୍ତ
ଚିତ୍ତର ଅର୍ଥ ଯେ ମନ ହୃଦୟର ଇଚ୍ଛା,
ମହତ ଗୁଣରେ କରେ ଜୀବନର ଆଚ୍ଛା।
ବେଦାନ୍ତର ସିଦ୍ଧାନ୍ତରେ ଚିତ୍ତ ଚାରି ଭାଗ,
ଅନ୍ତଃକରଣର ଶକ୍ତି କରେ ତା’ ପ୍ରୟୋଗ।
ମନ,ବୁଦ୍ଧି,ଚିତ୍ତ ଆଉ ଅହଙ୍କାର ଚାରି,
ଜୀବନ ନିର୍ବାହ ହୁଏ ତାଙ୍କ ଭାବ ଧରି।
ସଂକଳ୍ପରେ ମନ ନିଶ୍ଚିତରେ ବୁଦ୍ଧି ନାମ,
ଧରି ପାଳୁଥାନ୍ତି ତାଙ୍କର ଯେତେକ ଧର୍ମ।
ସନ୍ଧାନରେ ଚିତ୍ତ ଅଭିମାନେ ଅହଙ୍କାର,
ସ୍ଵପ୍ରକାରେ ଆତ୍ମା ରୂପେ ହୁଏ ତା’ ସ୍ଵୀକାର।
ବୃତ୍ତି
ସାଧାରଣ ଅର୍ଥେ ଜୀବିକା ଅଟଇ ବୃତ୍ତି,
ପାଳଇ କୁଟୁମ୍ବ ରୋଜଗାର କରି ନିତି।
ଯୋଗଶାସ୍ତ୍ର ଅନୁସାରେ ଚିତ୍ତ ବୃତ୍ତି ପାଞ୍ଚ
ମାନି ତାର ଗୁଣ କର୍ମେ ଜଣେ ହୁଏ ଉଚ୍ଚ।
କ୍ଷିପ୍ର,ନିର୍ବୋଧ,ବିକ୍ଷିପ୍ତ,ଏକାଗ୍ର,ନିରୁଦ୍ଧ
ଇଚ୍ଛାରେ ପ୍ରକୃତି ସ୍ଵଭାବରେ ସ୍ଥିତି ସିଦ୍ଧ।
ମନୋବୃତ୍ତି ନେଇ ମାନସିକ ଧର୍ମ ପାଳେ,
କିଏ ସତ୍ୟାଶ୍ରୟୀ କିଏ ମିଥ୍ୟାଚାରେ ଚଳେ।
ବୃତ୍ତିର ଧାରଣେ ପାପ ପୁଣ୍ୟ ଅର୍ଜେ ବ୍ୟକ୍ତି
ପାପରେ ବିନାଶ ପୁଣ୍ୟରେ ଲଭଇ ମୁକ୍ତି।
ନିରୋଧ
ନିରୋଧର ଅର୍ଥ ଅନୁଚିତ ସବୁ ଛାଡ଼ି
ଉଚିତରେ ରହି ସତ୍ କର୍ମେ ହେବା ଯୋଡ଼ି।
ଚିତ୍ତକୁ ସଂଯମେ ନିୟନ୍ତ୍ରଣ କରି ହୃଦେ,
ସାଧକର ଆତ୍ମା ପରମାତ୍ମାଙ୍କୁ ଯେ ବନ୍ଦେ।
ଅଷ୍ଟାଙ୍ଗ ଯୋଗର ନୀତି ଓ ନିୟମେ ଯୋଗୀ,
ବିଷୟା ବିଷରୁ ଦୂରେ ରହି ହୁଏ ତ୍ୟାଗୀ।
ଷଡ଼ରିପୁ ନାଶି ଷଡ଼ଚକ୍ର ଭେଦି ଜ୍ଞାନେ,
ରଖେ ତା’ ଆତ୍ମାକୁ ପରମଙ୍କଠାରେ ଧ୍ୟାନେ।
ଜାଣି ସେ ମୁଁ କିଏ ଭଗବାନ କିଏ ବୋଲି
ଚିତ୍ତ ବୃତ୍ତି ନିରୋଧରେ ମୋହ ଯାଏ ଭୁଲି।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷ — ୮୦୧୮୩୫୩୩୨୨
