ତୁମେ ହୃଦୟର ବନ୍ଧୁ ସଖା ମିତ୍ର
ତୁମେ ହୃଦୟର ବନ୍ଧୁ ସଖା ମିତ୍ର
🖊️କବିରତ୍ନ ନୂତନ କୁମାର ବେହେରା
ତୁମେ ହୃଦୟର ବନ୍ଧୁ
ତୁମେ ପ୍ରକୃତ ମିତ୍ର ସଖା ପ୍ରିୟପାତ୍ର,
ଜଗତ ଜନର ଭରସା
ତୁମେ ସର୍ବତ୍ର ଥାଅ ବିଶୁଦ୍ଧ ପବିତ୍ର।୦।
ତୁମେ ଦୀନବନ୍ଧୁ ତୁମେ ତ ମହାବାହୁ
ତୁମେ ଜଗବନ୍ଧୁ ଦୟାସାଗର ବିଭୁ,
ତୁମେ କୃପାସିନ୍ଧୁ କରୁଣାକର ପ୍ରଭୁ
ନାମ ତୁମର ଧରି ତରି ଯାଏ ସାଧୁ।
ତୁମେ ଆଦି ଅନାଦି ପରଂବ୍ରହ୍ମ
ତୁମେ ଅସୀମ ହେ ମହାମହିମ,
ବିଶ୍ଵ ବ୍ରହ୍ମାଣ୍ଡରେ ତୁମେ ପରମ
ସର୍ବେ କରନ୍ତି ତୁମକୁ ପ୍ରଣାମ।
ତୁମେ ହୃଦୟର ……
ତୁମେ ପ୍ରାଣବନ୍ଧୁ ଜଗତ ପତି
ତୁମ ଇଙ୍ଗିତରେ ଏ ସୃଷ୍ଟି ସ୍ଥିତି,
ତୁମେ ହିଁ ଆଲୋକର ମହାଜ୍ୟୋତି
ସକଳ ଜୀବର ତୁମେ ଶକତି।
ସଭିଙ୍କୁ ରଖିଛ ସଂପର୍କେ ବାନ୍ଧି
ସ୍ନେହ ମମତାର ଡୋରରେ ଛନ୍ଦି,
ନାହିଁ ତୁମର କେହି ପ୍ରତିଦ୍ବନ୍ଦି
ନାହିଁ ତୁମର କେହି ପ୍ରତିବାଦୀ।
ତୁମେ ହୃଦୟର ବନ୍ଧୁ ……
ତୁମେ ସତ୍ୟ ଶାଶ୍ଵତ ହେ ମଣିମା
ଅନନ୍ତ ଅକ୍ଷୟ ତୁମ ମହିମା,
ସମଗ୍ର ବିଶ୍ଵ କର ପରିକ୍ରମା
ପାପୀଙ୍କ ପାପ ଯେତେ କର କ୍ଷମା।
ତୁମ ଚରଣରେ ଦେଇ ଶରଣ
ଆରତ ଶୁଣ ପ୍ରଭୁ ଆର୍ତ୍ତତ୍ରାଣ,
ଦୂର ହେଉ ଜୀବନର କଷଣ
ତୁମକୁ କରେ ବିନୟେ ଜଣାଣ।
ତୁମେ ହୃଦୟର ବନ୍ଧୁ……
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
