ତୁମେ ମୁଁ ଏବଂ ବର୍ଷା

ତୁମେ ମୁଁ ଏବଂ ବର୍ଷା
ଡ. ଭାରତୀ ହୋତା

ସେଦିନ ଫି’ ରାତି ଘନଘୋର ବର୍ଷା
ତୁହା କୁ ତୁହା ବିଜୁଳିର ପ୍ରଚଣ୍ଡ ପ୍ରହାର
ଘଡଘଡିର ବୁକୁଭେଦି ଶବ୍ଦ
ପ୍ରକୃତିର ତାଣ୍ଡବ ।।

କେମିତି ଏକ ଭିନ୍ନ ଅସହଜ ପଣ
ତଥାପି ଭିତରେ
ମୋହିନୀ ମାୟାର କାୟା ବିସ୍ତାର
ବାହାରେ ପ୍ରକୃତିର ତାଣ୍ଡବ
କିନ୍ତୁ ତୁମ ଉପସ୍ଥିତି
ମୋ ଶୂନ୍ୟ କୁଟୀରକୁ କରୁଥିଲା ଅଲୌକିକ
ସତେକି ଦେବ ମନ୍ଦିର ।।

ପବନରେ ମୁକୁଳିତ କଦମ୍ବର ମହ ମହ ବାସ୍ନାନେଇ
ତୁମେ ଓହ୍ଲାଇ ଆସିଲ ଆକାଶରୁ
ନୀଳ ଜୀମୂତର ପଟୁଆର ଧରି
ଅବିଶ୍ବାସରେ ମୋ ଆଖି ବିସ୍ପାରିତ
ଧଡ଼ ଧଡ଼ ହୃଦୟ ସ୍ପନ୍ଦନ
ବାକ୍ ଶୂନ୍ୟ ମୁଖ ଗହ୍ଵର ।।

ତୁମ ପୋଟଳ ଚିରା ଆଖିର ନୀଳ ନୀଳିମା
ସ୍ବଚ୍ଛ ପାରଦ ଦେଇ ମୁଁ ପରିବର୍ତ୍ତିତ ହେଉଥିଲି ପୃଥିବୀରେ
ଧିରେ ଧିରେ ଖୁବ୍ ବିହ୍ବଳରେ
ଆଉ ତୁମେ ଜଡ଼ି ଯାଉଥିଲ
ଚେର ମୂଳ ସହ ଗଛଟିଏ ହୋଇ ।।

ସଂଚରି ଯାଉଥିଲା ସାରା ଦେହ ଦେଉଳରେ
ତୁମ ମଧୁର ରାଗିଣୀର ପ୍ରଗଲ୍ଭତା
ସପନ ସବୁ ସତ ପ୍ରତୀତ ହେଉଥିଲେ
ତୁମେ, ମୁଁ ଓ ବର୍ଷାର ନିବିଡ଼ ଆଲିଙ୍ଗନକୁ
ଆବେଗରେ ଛାତିରେ ଚାପି ଧରିଥିବା ବେଳେ ।।

ଖରିଆର ରୋଡ଼
ନୂଆପଡ଼ା

Leave a Reply

Your email address will not be published. Required fields are marked *