ମୋ ଆଖି ଆଇନାରେ ତୁମ ପ୍ରତିବିମ୍ବ

     ମୋ ଆଖି ଆଇନାରେ ତୁମ ପ୍ରତିବିମ୍ବ

   🖊️କବିରତ୍ନ ନୂତନ କୁମାର ବେହେରା

ମୋ ଆଖି ଆଇନାରେ ତୁମ ପ୍ରତିବିମ୍ବ
ସ୍ପଷ୍ଟ ରୂପେ ସାମ୍ନାରେ ଦେଖୁଛି ଅହରହ
ରହେ ଏକାନ୍ତରର ଗଭୀରତାରେ ନିମଗ୍ନ
ଦିବାଲୋକର ପ୍ରକାଶରେ ଦେଖି ଦେଖି
ଉପଲବ୍ଧି କରେ ତୁମେ ଏକ ସ୍ଵଚ୍ଛ ସ୍ଫଟିକ
ସେଇ ରଙ୍ଗରେ ହୋଇଯାଅ ରଙ୍ଗୀନ
ଯେଉଁ ରଙ୍ଗର ଭାବ ଭାବନା କରେ ସ୍ପର୍ଶ
ଅମ୍ଳାନ ରହେ ତୁମ ଉଚ୍ଚ ବିଚାର ବିମର୍ଶ
ଅପ୍ରକାଶ୍ୟର ଅବଚେତନରେ ପୁଣି
ତୁମେ ଆସ ସମ୍ଭାବନାର ସ୍ବପ୍ନ ହୋଇ
ମୋ ଆଖି ଆଇନାରେ ହୁଅ ପ୍ରତିବିମ୍ବ
ମୋ ମନ ସନ୍ଦିଗ୍ଧରେ ହୁଅଇ ଉଦ୍ବେଳିତ
ପ୍ରାଣର ସ୍ପନ୍ଦନ ବଢ଼ିଯାଏ ମାତ୍ରାରୁ ମାତ୍ରାଧିକ
ଆଶ୍ୱସ୍ତିରେ ପାଇବାକୁ ଟିକେ ଶାନ୍ତିର ସାନ୍ତ୍ଵନା
ସକରାତ୍ମକ ଚାହାଁଣିରେ ଚାହେଁ ଅପଲକେ
ଅନେକ ପ୍ରଶ୍ନର ଅଙ୍କୁରୋଦ୍ଗମ ହେଉଥାଏ
ମୋ ମନ ମୃତ୍ତିକାର ଅବ୍ୟକ୍ତ ଅଭିବ୍ୟକ୍ତିରେ
ଆଖିରେ ଦେଖେ ଦୃଶ୍ୟରୁ ହୁଏ ଦୃଶ୍ୟାନ୍ତର
ବୁଝେ ଯେତିକି ଅବୁଝା ରହେ ତା’ଠୁ ବେଶି
ମୋ ଆଖି ଆଇନାରେ ତୁମ ପ୍ରତିବିମ୍ବ
ଭାବେ ଥାଆନ୍ତା କି ସେ ଛବିର ଜୀବନ
ଏ ବିରହ ଯନ୍ତ୍ରଣା ଦେଇ ନ ଥାନ୍ତା ଆଘାତ
ତୁମେ ତ କିଛି କୁହନି ମୋ ପ୍ରଶ୍ନରେ
ନିରୁତ୍ତୋର ଚାହିଁ ରୁହ ଏମିତି ଯେ କେମିତି
ମୋ ନିଜ ଉପରେ ଆସେ ଖାଲି ଅଭିମାନ
ପ୍ରେମର ବିଚ୍ଛେଦ ଆଣେ ଅହେତୁକ ଭୟ
ସାଉଁଟିବାର ଅଦମ୍ୟ ପ୍ରଚେଷ୍ଟା ହୁଅଇ ବ୍ୟର୍ଥ
ହୃଦୟର ଭଲ ପାଇବା ଫୁଲ ଝାଉଁଳେ
ଦେଖି ମୋ ଆଖି ଆଇନାରେ ତୁମ ପ୍ରତିବିମ୍ବ
ଭାବେ ବାସ୍ତବତା କି ନିଷ୍ଠୁର ହୃଦୟ ବିଦାରକ
ତୁମ ଆଶାରେ ନିଶାରେ କରିଥାଏ ପ୍ରତୀକ୍ଷା
ଶୂନ୍ୟ ଆକାଶକୁ ଚାହେଁ ମୁଁ ବାରମ୍ବାର
ଭାବନାର ଭସା ମେଘରୁ ବରଷି ପଡ଼ିବ କି
ପ୍ରେମର ଅସରାଏ ବର୍ଷା ଦେବାକୁ ଟିକେ ତୃପ୍ତି
ଏମିତି ଭାବି ଯା’ ଦେଖେ ହୁଏ ମୁଁ ବ୍ୟାକୁଳିତ
ପାଇବା ଆଗରୁ ହଜେ ପୁଣି ପୁଣି ଖୋଜେ
ନିଜ ଭିତରେ ବିଶ୍ବାସ ଭରସା ଭରି ଦିଏ
ମୋ ଆଖି ଆଇନାରେ ତୁମ ପ୍ରତିବିମ୍ବ।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
     ନବସୃଜନ ଇ-ପତ୍ରିକା,     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *