ଚିହ୍ନି ପାରିଲିନି ତତେ
ଚିହ୍ନି ପାରିଲିନି ତତେ
ଡ. ପ୍ରେମାନନ୍ଦ ବେହେରା
ଚିହ୍ନି ପାରିଲିନି ତତେ
ମୁଁ ଚିହ୍ନି ପାରିଲିନି ତତେ
ପାହାଡ଼ର ନିରବ ଶିଖରରେ,
ପଥରର ଅଚଳ ହୃଦୟରେ
ଝରଣାର ଅବିରତ ସ୍ୱରେ
ପାଣିର ନିର୍ମଳ ଦର୍ପଣରେ
ସବୁଠି ତୋର ଛବି ଥିଲା
ତଥାପି ମୁଁ ଚିହ୍ନି ପାରିଲିନି ତତେ
ଚିହ୍ନି ପାରିଲିନି ତତେ ।।
ଜଙ୍ଗଲର ଗଭୀର ନିର୍ଜନେ
ପତ୍ରର ମୃଦୁ ସ୍ପନ୍ଦନେ
ପକ୍ଷୀର ମଧୁର କୁହୁ ତାନରେ
ସକାଳର ପ୍ରଥମ ପ୍ରଭାରେ
ସବୁଠି ତୁ ହସୁଥିଲୁ ନିରବେ
ତଥାପି ମୋ ଦୃଷ୍ଟି ଅନ୍ଧ ଥିଲା
ଚିହ୍ନି ପାରିଲାନି ତତେ
ମୁଁ ଚିହ୍ନି ପାରିଲିନି ତତେ ।।
ସାଗରର ଅସୀମ ତରଙ୍ଗରେ
ଆକାଶର ନୀଳ ବିସ୍ତାରରେ
ତାରାର ଅଲୋକ ଦୀପରେ
ଚନ୍ଦ୍ରର ଶାନ୍ତ ଆଲୋକରେ
ସବୁଠି ତୁମର ଅସ୍ତିତ୍ୱ ଝଲମଲ
ସବୁଠି ତୁମର ସ୍ପନ୍ଦନ ଅମର
କିନ୍ତୁ ମୋ ଅଜ୍ଞାନ ଆଖି
ଚିହ୍ନି ପାରିଲାନି ତତେ
ମୁଁ ଚିହ୍ନି ପାରିଲିନି ତତେ ।।
ମନ୍ଦିରର ଘଣ୍ଟା ଧ୍ୱନିରେ
ଭକ୍ତର ନିର୍ମଳ ପ୍ରାର୍ଥନାରେ
ଦୁଃଖିର ନୀରବ ଅଶ୍ରୁରେ
ସୁଖର ମଧୁର ହସରେ
ସବୁଠି ତୁ ଲୁଚି ରହିଲୁ
ଜୀବନର ପ୍ରତି ଶ୍ୱାସରେ
ତଥାପି ମୁଁ ଅଧମ ମଣିଷ
ଚିହ୍ନି ପାରିଲିନି ତତେ
ମୁଁ ଚିହ୍ନି ପାରିଲିନି ତତେ ।।
ଆଜି ବୁଝିଲି ଶେଷରେ
ତୁ ଦୂରରେ ନୁହେଁ
ମୋ ଅନ୍ତରର ଅଭ୍ୟନ୍ତରରେ
ମୋ ଶ୍ୱାସର ଗୁପ୍ତ ସ୍ବର ତୁ
ସବୁଠି ଥିଲୁ, ସବୁଠି ଅଛୁ
ଜଗତର ପ୍ରତି କଣିକାରେ
ତଥାପି ମୋର ଅବୋଧ ହୃଦୟ
ଦୀର୍ଘଦିନ, ଚିହ୍ନି ପାରିଲାନି ତତେ
ମୁଁ ଚିହ୍ନି ପାରିଲିନି ତତେ ।।
ପଦ୍ମପୁର, ବରଗଡ଼
