ତୁ ଛାଡିଦେଲେ ମୋ ହାତ
ତୁ ଛାଡିଦେଲେ ମୋ ହାତ
ଡ. ପ୍ରେମାନନ୍ଦ ବେହେରା
ତୁ ଛାଡିଦେଲେ ମୋ ହାତ
ସାହା ହେବ କେ ଜଗନ୍ନାଥ?
ଅନ୍ଧାର ରାତିର ପଥେ
କିଏ ସାଜିବ ମୋ ଦୀପ ।।
ମୋ ମନର ଭଙ୍ଗା ଘରେ
ତୋରି ନାମ ହିଁ ମୋ ଜପ
ନିରବ ଅଶ୍ରୁର ଧାରେ
ଲେଖେ ମୋ ଭାଗ୍ୟର ଗୀତ ।।
ସମୁଦ୍ର ତରଙ୍ଗ ପରି
ଫେରି ଯାଏ ଛୁଇଁ ତଟ
ଧୀରେ ଧୀରେ ମରିଯାଏ
ମୋହର ସବୁ ଆଶ ।।
ତୋ ନାମ ହିଁ ମୋର ଶ୍ୱାସ
ଆହେ ପ୍ରଭୁ ଜଗନ୍ନାଥ
ଦୁଃଖର ଦୀର୍ଘ ରାସ୍ତାରେ
ତୁ ହିଁ ମୋ ପଥ ପ୍ରଦର୍ଶକ ।।
ଜୀବନର ଘୁର୍ଣ୍ଣି ବାତ୍ୟାରେ
ସାଜିଛି ଗୋଟେ ପଥିକ
ତୋହରି ଦୟାରେ ଚାଲୁଛି
ମୋ ଶରୀରେ ଜୀବନତକ ।।
ପୁରା ଭାଙ୍ଗିଯିବି ହେ ସଖା
ତୁ ଛାଡିଦେଲେ ମୋ ହାତ
ତୁ ସାଥେ ଥିଲେ ମୋର
ମୋ ଜୀବନ ହେବ ସାର୍ଥକ ।।
ହୃଦୟେ ରହିଛୁ କେବଳ ତୁ
କେତେ ଭଲ ଲାଗେ ଏ ଜଗତ
ତତେ ନ ଦେଖିଲେ ଦିନେ
ଏ ଜୀବନ ହୋଇଯାଏ ଶୁଷ୍କ ।।
ତୁ ଛାଡିଦେଲେ ମୋ ହାତ,
ସାହା ହେବ କେ ଜଗନ୍ନାଥ?
ପାଖେ ତୁ ଥିଲେ ମୁଁ ନିର୍ଭୟ
ତୁ ହିଁ ଆରମ୍ଭ, ତୁ ମୋ ଶେଷ ।।
ପଦ୍ମପୁର, ବରଗଡ଼
