ବନାଖଣ୍ଡି ସୋଲାର ଛକରେ ଦୀର୍ଘ ୧୫ ବର୍ଷର କେନାଲ ବନ୍ଧ ଜବରଦଖଲ ଉଚ୍ଛେଦ

ବନାଖଣ୍ଡି ସୋଲାର ଛକରେ ଦୀର୍ଘ ୧୫ ବର୍ଷର କେନାଲ ବନ୍ଧ ଜବରଦଖଲ ଉଚ୍ଛେଦ, ୬ହରିଜନ ପରିବାର ସଦସ୍ୟଙ୍କୁ ମିଳିଲା ଯାତାୟତ ପାଇଁ ରାସ୍ତା, ତହସିଲଦାର ଙ୍କ ମହନୀୟତା ପାଇଁ ସ୍ବାଗତ ସମ୍ବର୍ଦ୍ଧନା କଲେ ହରିଜନ ପରିବାର ସଦସ୍ୟ। ଗୋପ – ଗୋପ ବ୍ଲକ ଅଧିନସ୍ଥ ବନାଖଣ୍ଡି ପଞ୍ଚାୟତର ବନାଖଣ୍ଡି ଗ୍ରାମର ସୋଲାର ଛକ ନିକଟରେ ରହୁଥିବା ୬ଗୋଟି ଦଳିତ ପରିବାର ଯାତାୟାତ କରୁଥିବା କେନାଲ ରାସ୍ତାକୁ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରିବା ଯୋଗୁଁ ସେମାନଙ୍କର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାକୁ ନେଇ ଦଳିତ ପରିବାର ପକ୍ଷରୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗୋପ ତହସିଲ ପ୍ରଶାସନକୁ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ମିଳିପାରି ନଥିଲା। ଫଳରେ ନିରାଶ ମଧ୍ଯରେ ସଂପୃକ୍ତ ହରିଜନ ସାହିର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୁନର୍ବାର ବନାଖଣ୍ଡି ସୋଲାର ଛକର ହରିଜନ ପରିବାରଙ୍କ ପକ୍ଷରୁ ସମାସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଗୋପ ତହସିଲଦାର ଙ୍କୁ ଅଭିଯୋଗ ହୋଇଥିଲା। ପୁରୀ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ରାସ୍ତା ଅବରୋଧ ଜବରଦଖଲ ଉଚ୍ଛେଦ କରି ଦଳିତ ପରିବାରଙ୍କୁ ଉଚିତ୍ ନ୍ୟାୟ ଦେବା ସହ ଯାତାୟାତ ପାଇଁ ସୁବିଧା ସୁଯୋଗ କରିଥିଲେ। ତହସିଲଦାରଙ୍କ ଏହି ମହନୀୟତା ଜନସେବା ଓ ପରୋପକାରୀ କାର୍ଯ୍ୟ ପାଇଁ ଗୋପ ତହସିଲଦାରଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି। ସମାସ୍ୟାର ସ୍ଥାୟୀ ସମାଧାନ ହେବା ପରେ ବନାଖଣ୍ଡି ସୋଲାର ଛକର ଦଳିତ ପରିବାର ପକ୍ଷରୁ ଜମ୍ବେଶ୍ୱର କାଣ୍ଡି, ପ୍ରତାପ କାଣ୍ଡି, ଅଜୟ କାଣ୍ଡି, କବିତା କାଣ୍ଡି, ସୁକା କାଣ୍ଡିଙ୍କ ସମେତ ଓ୍ବାର୍ଡ ସଭ୍ୟ ବିଚିତ୍ର କୁମାର ରାଓ ପ୍ରମୁଖ ଗୋପ ବ୍ଲକ ଠାରେ ଉତ୍ତରୀୟ ଓ ପୁଷ୍ପମାଲ୍ଯ ଦେଇ ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଙ୍କ ଏଭଳି ମହନୀୟ ଜନସେବା ପାଇଁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ଜଣାପଡିଛି। ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଙ୍କ ଏଭଳି ବିରଳ ପରୋପକାରୀ ଜନସେବା କୁ ଗୋପ ବ୍ଲକର ଜନସାଧାରଣ ମାନଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *