ନାବାଳିକା ଦୁଷ୍କର୍ମୀକୁ 20 ବର୍ଷ ଜେଲ ଦଣ୍ଡାଦେଶ
ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ଜଣେ ୧୫ବର୍ଷର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗୋଡା ଗାଁର ଜିତେନ କୁମାର କାଣ୍ଡିଙ୍କୁ ପୋକସୋ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।ଜୋରିମାନା ଅନାଦେୟ ଅଧିକ ୪ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି । ପ୍ରକାଶ ଥାଉକି ୨୦୧୯ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ଦିବା ୧୦ ଘଟିକା ସମୟରେ ଏରସମା ଅଞ୍ଚଳର ସମ୍ପୃକ୍ତ ନାବାଳିକା ଖୁଦୁରୁକୁଣୀ ଭାଷାଣି ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ ତାଙ୍କୁ ବଳ ପୂର୍ବକ ଅପହରଣ କରିଥିଲା । ପରେ ନାବାଳିକା ଜଣଙ୍କୁ ଜିତେନ ସୁଦୂର ବାଙ୍ଗାଲୋର ନେଇ ସେଠାରେ ୧୫ ଦିନ ରଖିବା ସହିତ ନାବାଳିକଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲା । ଏହି ଘଟଣାକୁ ନେଇ ପରିବାର ଲୋକେ ଏରସମା ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ କଟକ ରେଳ ଷ୍ଟେସନ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୋକସୋ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ଏହି ରାୟ ଶୁଣାଇବା ସହିତ ପିଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ ପରିଚାଳନା କରୁଥିଲେ ।
ଜଗତସିଂହପୁର ରୁ ରୀତା ସାହୁ
