ସାହି ଆଖଡା ର ପାରମ୍ପରିକ ନୃତ୍ୟ ରେ କମ୍ପିଲା ବଡ଼ଦାଣ୍ଡ
ପୁରୀ ୧୩/୧ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ହେବ।ଗତକାଲି ଶ୍ରୀଗଜପତି ମହାରାଜା ଙ୍କ ଦ୍ବାରା ଯଜ୍ଞାନୁଷ୍ଠାନ ପାଇଁ ରାଜଗୁରୁ ଙ୍କୁ ଆଚାର୍ଯ୍ୟ ବରଣ କରାଯାଇ ଯଜ୍ଞଶାଳାରେ ଅଙ୍କୁରାରୋପଣ ପୂଜନ କରାଯାଇଥିଲା।ଆଜି ଯଜ୍ଞଶାଳାରେ ଅଙ୍କୁର ପୂଜନ କରାଯାଇଥିଲା।ଲୋକାର୍ପଣ ଦିନ ଯେତିକି ପାଖେଇ ଆସୁଛି ସାଧାରଣ ରେ ସେତିକି ଉତ୍କଣ୍ଠା ଓ ଉତ୍ସାହ ପରିଲକ୍ଷିତ ହେଉଛି।ପ୍ରତ୍ୟେକ ଚାହୁଁଛନ୍ତି ସେମାନେ ମଧ୍ୟ ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିବେ।ଆଜି ପୁରୀ ର ଆଠ ସାହି ଆଖଡା ମଧ୍ୟରୁ କାଳୀକା ଦେବୀ ସାହି ଓ ମାଟି ମଣ୍ଡପ ସାହି ସେମାନଙ୍କ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରିଥିଲେ।ପୁରୀ ର ଆଖଡା ଓ ଜାଗା ଘରର ସଂସ୍କୃତି ବହୁ ପ୍ରାଚୀନ।ଏହି ଆଖଡା ଓ ଜାଗା ଘରର ପ୍ରଶିକ୍ଷିତ ସଦସ୍ୟ ମାନେ ଶ୍ରୀମନ୍ଦିର କୁ ବାହ୍ୟ ଆକ୍ରମଣ ରୁ ସୁରକ୍ଷା ଦେବା ପାଇଁ ନିୟୋଜିତ ଥିଲେ।

ବିଭିନ୍ନ ସମରକଳା ରେ ପ୍ରଶିକ୍ଷିତ ଓ ସମୃଦ୍ଧ ଏହି ଜାଗା ଘର ସେନା ଭାବେ କାର୍ଯ୍ୟ କରୁଥିଲେ।ସେହି ପାରମ୍ପରିକ କଳା ଓ ଐତିହ୍ୟ କୁ ବଞ୍ଚାଇ ରଖିବାକୁ ସରକାର ଓ ପ୍ରଶାସନ ସହଯୋଗ ମଧ୍ୟ କରୁଛନ୍ତି।ତାହାର ପୁନରୁଦ୍ଧାର ଓ ବିଭିନ୍ନ ଆବଶ୍ୟକୀୟ ଉପକରଣ ଦ୍ଵାରା ଜାଗା ଘର ଗୁଡିକ ତାହାର ଐତିହ୍ୟକୁ ସମୃଦ୍ଧ କରିପାରିଛି। ଆଜିର ସମାରୋହରେ ନାଗା,ଦୂର୍ଗା, କାଳୀ,ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନ ଇତ୍ୟାଦି ସାମିଲ ହୋଇଥିଲା।ଉଭୟ ସାହି ସେମାନଙ୍କ ନିଜ ସାହି ପରିକ୍ରମା କରି ସିଂହ ଦ୍ବାରରେ ପହଞ୍ଚି ଥିଲେ।ପରେ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ପୁନଶ୍ଚ ସିଂହ ଦ୍ୱାର ହୋଇ ସାହିକୁ ପ୍ରତ୍ୟାବର୍ତ୍ତନ କରିଥିଲା।ହଜାର ହଜାର ଲୋକ ଏହି ପାରମ୍ପରିକ ସୁନ୍ଦର କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିଲେ।ଉଭୟ ସାହିର ମୁରବି, ସ୍ୱଛାସେବୀ ଅତ୍ୟନ୍ତ ଶୃଙ୍ଖଳା ର ସହ ଏହି ଶୋଭାଯାତ୍ରା କୁ ସମ୍ପନ୍ନ କରାଇଥିଲେ।
