ଏନଆଇଏଚଆର ପକ୍ଷରୁ ସାପ କାମୁଡା ପ୍ରତିରୋଧ ଓ ନିୟନ୍ତ୍ରଣ ପ୍ରଶିକ୍ଷଣ କର୍ମଶାଳା

ଗୋପ,୨୧.୦୮- ଗୋପ ବ୍ଳକ ସମ୍ମିଳନୀ କକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ଓ ଜାତୀୟ ସ୍ୱାସ୍ଥ୍ୟ ଏବଂ ଯତ୍ନ ଗବେଷଣ ପ୍ରତିଷ୍ଠାନ ମିଳିତ ଆନୁକୁଲ୍ୟରେ ବ୍ଲକର ସମସ୍ତ ପଞ୍ଚାୟତ ଜନ ପ୍ରତିନିଧି ଓ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ସାପ କାମୁଡା ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ଵନ୍ଧରେ ପ୍ରଶିକ୍ଷଣ କର୍ମଶାଳା ବୁଧବାର ପୂର୍ବାହ୍ନରେ ଅନୁଷ୍ଟିତ ହୋଇଯାଇଛି। ଅତିଥି ଭାବେ ବ୍ଲକ ଅତିରିକ୍ତ ବିଡ଼ିଓ ଦୀପକ ଜେନା, ଉପାଧକ୍ଷ ବନ ପଟ୍ଟନାୟକ, ଜିଲ୍ଲା ପରିଷଦ ପ୍ରମୋଦ ରାୟ, ସେକ୍ସନ ଅଫିସର ବୀରେନ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ କର୍ମଶାଳା ଶୁଭାରମ୍ଭ କରିଥିଲେ। ସର୍ପାଘାତ ବା ସାପ କାମୁଡ଼ା ଏକ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଭାବେ ଦେଖା ଦେଇଛି। ବିଶ୍ବରେ ସାପ କାମୁଡ଼ା ଯୋଗୁଁ ହେଉଥୂବା ସମୁଦାୟ ମୃତ୍ୟୁର ପ୍ରାୟ ଅର୍ଦ୍ଧେକ ଭାରତରେ ଘଟିଥାଏ ।ଗ୍ରାମାଞ୍ଚଳ ଓ କୃଷିପ୍ରଧାନ ଅଞ୍ଚଳର ଲୋକମାନେ, ବିଶେଷକରି ବର୍ଷା ଋତୁ ସମୟରେ, ସର୍ବାଧୂକ ବିପଦରେ ରହିଥାନ୍ତି ।

ଚାଷୀ, କୃଷି ଶ୍ରମିକ ଏବଂ ରାତିରେ ବାହାରେ ଚାଲୁଥିବା ଲୋକମାନଙ୍କୁ ଅଧୂକ ବିପଦ ରହିଥାଏ । ଅପର୍ଯ୍ୟାପ୍ତ ଆଲୋକ, ଚଟାଣରେ ଶୋଇବା ଏବଂ ବାହାରେ ଶୌଚ କରିବା ସାପ କାମୁଡ଼ାର ସମ୍ଭାବନା ବଢ଼ାଇଥାଏ I ଏହି କାରଣରୁ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ସାପ କାମୁଡା ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ଵନ୍ଧରେ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ କରାଯାଇ ବ୍ୟାପକ ସଚେତନତା କରାଯାଇଥିଲା। ପ୍ରଶିକ୍ଷକ ଭାବେ ଏନଆଇଏଚଆର ପ୍ରକଳ୍ପ ବୈଜ୍ଞାନିକ ଡଃ ରଶ୍ମି ରଞ୍ଜନ ନାୟକ ସମସ୍ତ ଉପସ୍ଥିତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ଓ ଅଭିମୁଖିକରଣ ଉପରେ କର୍ମଶାଳାରେ ବୁଝାଇବା ସହ ଚିତ୍ର ପ୍ରଦର୍ଶନୀ ଜରିଆରେ ଦର୍ଶାଇଥିଲେ। ଏନଆଇଏଚଆର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ଓ ପ୍ରକଳ୍ପ ତତ୍ତ୍ୱାବଧାରକ ଡ଼ଃ ଶ୍ରୀକାନ୍ତ କାନୁନଗୋଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କର୍ମଚାରୀ ସତ୍ୟବ୍ରତ ବିଶ୍ଵାଳ, ସନତ ମିଶ୍ର, ବିଶ୍ୱଜିତ୍ ସିଂ ଓ ସନ୍ତୋଷ ସାହୁ କର୍ମକର୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *