ପ୍ରତ୍ୟେକ ନିର୍ବାଚନରେ ଜଣେ ନେତାଙ୍କୁ ବିଜୟ ଲାଭ କରିବାକୁ ହେଲେ କର୍ମକର୍ତ୍ତା ବା କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ।
କଳାହାଣ୍ଡି :୧୮/୦୮,:କଳାହାଣ୍ଡି ଜିଲ୍ଲାରେ ୨ ଟି ସବଡିଭିଜନ,୧୩ ଟି ବ୍ଲକ, ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୩୬ ଟି ଜିଲ୍ଲା ପରିଷଦ ଯୋନ ଅବସ୍ଥିତ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପି ଦଳର ଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିଭଳି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା/ଅଧ୍ୟକ୍ଷ ବିଜେଡି ହାତେଇବ ତାହା ନେଇ ଯୋର ସୋର ଭାବରେ ଅଙ୍କକଷା ଚାଲିଥିବା ଦେଖିବାକୁ ମିଳୁଛି । ଏହା ଦ୍ୱାରା କଳାହାଣ୍ଡି ରାଜନୀତିରେ ଏକ ବଡ଼ ଧରଣର ସମୀକରଣର ଆଭାସ ମିଳୁଥିବା ଜଣାପଡୁଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ)ଙ୍କ କଳାହାଣ୍ଡି ଗସ୍ତ ପରେ ଜିଲ୍ଲା ବିଜେଡି କର୍ମକର୍ତ୍ତାଙ୍କ ସ୍ୱର ଉତେଜନା ଜୋରସୋର ହେଉଛି।କଳାହାଣ୍ଡି ଜିଲ୍ଲାର ପ୍ରତେକ ନିର୍ବାଚନ ମଣ୍ଡଳୀ ସ୍ତରରେ ଓ ବ୍ଲକ ସ୍ତରରେ କର୍ମକର୍ତ୍ତା ସମ୍ମିଳନୀ ହେବା ପରେ (ଶୁକ୍ରବାର)ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ଯୁବ ଛାତ୍ର ସମ୍ମିଳନୀରେଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏଠାରୁ ରଣ ହୁଙ୍କାର ଦେଇଛି ଜିଲ୍ଲା ବିଜେଡି । ଏହି ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଗୃହ ରାଷ୍ଟ୍ର,ଏମଏସଏମଇ,ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ନିଜ ଅଭିଭାଷଣରେ ଜିଲ୍ଲାର ୩୬ ରୁ ୩୬ ଜିଲ୍ଲା ପରିଷଦରେ ବିଜେଡି ବିଜୟ ହେବ ବୋଲି ଦୃଢ଼କ୍ତି ପ୍ରକାଶ କରି ଛନ୍ତି।ତେବେ ତୃଣମୂଳ ସ୍ତରରେ ବିଜେଡିର ବାସ୍ତବ ଚିତ୍ର ଓ ମନ୍ତ୍ରୀଙ୍କ ଅଙ୍କକଷାକୁ ନେଇ ବିଜେଡି ଦଳୀୟ ସଭାରେ ବାସ୍ତବତା କେତେ ବୋଲି ବର୍ତ୍ତମାନ ଜିଲ୍ଲା ରାଜନୈତିକ ଓ ସାଧାରଣ ଜନତାଙ୍କ ମହଲରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ଏହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ ତେବେ ଗତ ୨୦୧୭ ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଅଭିମୁଖ୍ୟ ଓ ନେତୃବର୍ଗଙ୍କ ଆତ୍ମବିଶ୍ୱାସ ବର୍ତ୍ତମାନ ଠାରୁ ଶହେ ଗୁଣ ଅଧିକ ଥିଲା।ବର୍ତ୍ତମାନ ଏକ ପ୍ରକୋଷ୍ଠରେ ଦଳୀୟ ସଭା ସମିତି ରହିଥିବା ବେଳେ ସେ ସମୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହଜାର ସଂଖ୍ୟାରେ ସମାବେଶ ଓ ଖୋଲା ମଞ୍ଚରେ ସଭା କରାଯାଇଥିଲା । ମାତ୍ର ପରବର୍ତ୍ତୀ ସ୍ଥିତି ଜିଲ୍ଲାରେ ବିଜେଡିକୁ ଶକ୍ତ ଧକ୍କା ଦେଇଥିଲେ ଭୋଟର ।ଜିଲ୍ଲାର ୩୩ ଟି ଜିଲ୍ଲା ପରିଷଦ ଆସନକୁ ବିଜେପି ହାତେଇବାରେ ସଫଳ ହୋଇଥିବା ବେଳେ କଂଗ୍ରେସ ୨ ଟି ରେ ନିଜ ସମ୍ମାନ ରକ୍ଷା କରିଥିଲା ଏବଂ ବିଜେଡିକୁ ମାତ୍ର ୧ ଟି ଆସନ ଜିଲ୍ଲା ପରିଷଦ ଏମ.ରାମପୁର ମୋହନଗିରିରେ ପାଇ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହାର ପ୍ରଭାବ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ କିଛିଟା ଦେଖିବାକୁ ମିଳିଥିଲା। ବିଜେଡି ଜିଲ୍ଲାର ୫ ଟି ବିଧାନସଭା ଆସନରୁ ସବୁଠାରୁ ଗୁରୁତ୍ୱପୂର୍ଣ ଆସନ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ପରାଜିତ ହୋଇଥିଲା ଯାହା ବିଜେପି ଖାତାକୁ ଚାଲିଯାଇଥିଲା ଏବଂ ଲୋକସଭା ଆସନ ମଧ୍ୟ ଛଡାଇ ନେଲା ବିଜେପି।ବର୍ତ୍ତମାନ ବିଜେଡି ତାର ପୁର୍ବ ପରିସଂଖ୍ୟାନକୁ ଫେରିପାଇବା ସହ ଗଡ଼ ଦଖଲ ଉଦ୍ୟମରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୁଷ୍ଟିରେ ରଖି ଏବେଠୁ ଶକ୍ତି କେନ୍ଦ୍ରୀଭୂତ କରୁଥିବା ଦେଖିବାକୁ ମିଳୁଛି।ମାତ୍ର ପଞ୍ଚାୟତ ନିର୍ବାଚନ ବିଜୟୀ ରଣନୀତିରେ ଏବେବି ବିଜେଡି ପଛୁଆ ରହିଥିବା କର୍ମୀ ମହଲରେ ଚର୍ଚ୍ଚା ହେଉଛି କାରଣ ଜିଲ୍ଲାରେ ଅଫିସର ରାଜ ଥିବା ବେଳେ ଯେଉଁ କର୍ମୀମାନେ ଏହି ରଣନୀତିରେ ମାହିର ରହିଛନ୍ତି ସେମାନେ କିନ୍ତୁ ଦଳ ପାଇଁ ଅଲୋଡ଼ା ହେଉଛନ୍ତି। ଆଉ କିଛି କ୍ଷେତ୍ରରେ କଂଗ୍ରେସ ଦଳରୁ ଆସି ବିଜେଡି ଦଳରେ ଯୋଗ ଦେବାପରେ ସେମାନଙ୍କୁ ମଧ୍ୟ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି। ଏହା ସହ ବିଜେଡିର ବରିଷ୍ଠ ନେତାମାନଙ୍କୁ ଗତ ନିର୍ବାଚନରୁ ଦଳରୁ ଅଲୋଡ଼ା ହେବା ଦ୍ୱାରା ତାଙ୍କର ସମର୍ଥକ କର୍ମୀମାନଙ୍କ ମହଲରେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି। ଆଉ ସେହି ନେତାମାନଙ୍କ ସହଯୋଗ ହାତେଇବା ପାଇଁ ରାଜନୈତିକ ଶୀର୍ଷ ମହଲରେ ଶଳାମସରା ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଭୋଟର ଓ ନେତାମାନଙ୍କ ମଧ୍ୟରେ ବ୍ରିଜ ପରି କାମ କରିଥାନ୍ତି କର୍ମୀ କିନ୍ତୁ ଏହି ବିଶ୍ୱ ମହାମାରୀ କରୋନା ସମୟରେ କୌଣସି ଦଳର ରାଜ ନେତା କର୍ମୀମାନଙ୍କ କଥା ବୁଝି ନଥିଲେ କିମ୍ବା ତାଙ୍କର ସୁଖ ଦୁଃଖ ପଚାରିନଥିବା ଚର୍ଚ୍ଚା ଜୋର ଧରିଛି।ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗକୁ ଅଛି ସେଥିପାଇଁ କର୍ମୀଙ୍କ ଦରକାର ବୋଲି ନେତାମାନେ ବାରମ୍ବାର ବୈଠକ କରି ପ୍ରୟାସ କରୁଛନ୍ତି ଏବଂ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ଭୋଟର ଆଶାକରେ କର୍ମୀ ଉପରେ,କର୍ମୀ ଆଶାକରେ ନେତା ଉପରେ କିନ୍ତୁ ନେତାଙ୍କ କଥା ଅଫିସରମାନେ ଶୁଣୁ ନାହାନ୍ତି କାରଣ ଅଫିସର ରାଜ କଳାହାଣ୍ଡିରେ ଚାଲିଛି ଏବଂ ସାଧାରଣ ଭୋଟରଙ୍କ କୌଣସି କାର୍ଯ୍ୟ ହେଉନାହିଁ ତେଣୁ କର୍ମୀ ଓ ଭୋଟର ଅଶାନ୍ତି ଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ନେତୃତ୍ୱ ନେବା ପାଇଁ ବିଜେଡିରେ ତୁଙ୍ଗ ନେତା ଓ କର୍ମୀଙ୍କ ଭିତରେ ଶୀତଳ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇସାରିଛି । ନିଜ ନିଜ ଭିତରେ ସେମାନେ ମୁଁ ବଡ଼କୁ ସେ ସାନ ବୋଲି କୁହାକୁହି ହେଉଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି l ଶାସକ ଦଳର ଏଭଳି ଦୁରବସ୍ଥା ବିଷୟରେ ଖୋଦ ନେତାମାନେ ଅନେକ ସମୟରେ ସ୍ୱୀକାର କରିଛନ୍ତି । ଏବେ ଦଳର କିଛି ଆଗଧାଡିର ନେତାମାନେ ନିଜ ନିଜ ସମର୍ଥନକୁ ନେଇ ବୈଠକ ଓ ରକ୍ତଦାନ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଅନ୍ୟ କିଛି କର୍ମୀ ଗୁପ୍ତ ମନ୍ତ୍ରଣା ଆରମ୍ଭ କରିଥିବା ଜଣାପଡୁଛି । ଗୋଟିଏ ଅସନ୍ତୁଷ୍ଟ ବରିଷ୍ଠ ଗୋଷ୍ଠୀ ନୂତନଙ୍କ ହାତରେ ଦାୟିତ୍ୱ ପ୍ରଦାନକୁ ସହଜରେ ଗ୍ରହଣ କରି ନପାରି ନିରବଦଷ୍ଟା ସାଜିଥିବା ବେଳେ ଅନ୍ୟମାନେ ଭୋଜି ଭାତର ଆସର ଜମାଇ ସମର୍ଥନ ଜୁଟାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଭିନ୍ନ ଭିନ୍ନ ଗୋଷ୍ଠୀରୁ ଜଣେ ଜଣେ ତୁଙ୍ଗ ନେତା ଏବେଠାରୁ ବିଧାୟକ ଭାବେ ପ୍ରୋଜେକ୍ଟ କରିବା ଆରମ୍ଭ କରିସାରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଦଳର ସମର୍ଥନକୁ ସେମାନେ ଅଣଦେଖା କରି କେବଳ ପତିଆରା ଜାହିର କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଆଶାୟୀମାନେ ନିରାଶ ହୋଇପଡିଛନ୍ତି,ଯାହା ଉଭୟ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଜାହିର କରିଛନ୍ତି । ତେବେ ବିଜେପି ଏହି ପରିସ୍ଥିତିରେ ସୁଯୋଗ ନେଇ ପାରୁନାହିଁ ଯେହେତୁ ସାଂସଦଙ୍କ କଳାହାଣ୍ଡି ପ୍ରତି ଅଣ ଦେଖା ଏବଂ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ ଯୋଗୁଁ ଦଳ କାୟା ବିସ୍ତାର କରିପାରୁ ନାହିଁ। ଆର ପଟେ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସଦର ବ୍ଲକ ଭବାନୀପାଟଣା ବିଜେପି ଅଧ୍ୟକ୍ଷାଙ୍କ ପ୍ରତି କର୍ମୀମାନଙ୍କ ମହଲରେ ଅସନ୍ତୋଷ ଜାହିର ହେଉଛି। ଫଳରେ ବିଜେପିର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଖଲ କରିବାକୁ ଉଦ୍ୟମ ଜାରି ରଖିଛି । ଏଥିପାଇଁ ମଣ୍ଡଳ ସ୍ତରୀୟ ସଭାସମିତି ଆୟୋଜନ ହେଉଥିବା ବେଳେ କର୍ମୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି । ଏହା ଭୋଟରକୁ ମନାଇବାରେ କେତେ ସଫଳ ହେବ ଆଗକୁ ଜଣାପଡିବ । ଅନ୍ୟପକ୍ଷରେ କଳାହାଣ୍ଡି ଜନସାଧାରଣ ସ୍ୱାଧୀନତା ପରଠୁ ସରକାରଙ୍କ ବିରୋଧରେ ଭୋଟ ଦେବା ଦେଖିବାକୁ ମିଳିଆସିଛି। ଏହି ପରିସ୍ଥିତିରେ କଂଗ୍ରେସ ଦଳ ନେତୃତ୍ୱ ସଂଘଠନରୁ ଦୁରେଇ ରହିବା ଜିଲ୍ଲାର ଭୋଟଙ୍କୁ ବିସ୍ମିତ କରିଛି ଯଦି କଂଗ୍ରେସ ଦଳ ଠିକ ଭାବରେ ରଣନୀତି ଆରମ୍ଭ କରିବ ତାହେଲେ ବାଜି ମାରି ନେଇ ପାରେ ବୋଲି ଜନସାଧାରଣ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
