ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ପୁରୀ ୧୯/୪ ନିର୍ବାଚନ ଗଣତନ୍ତ୍ର ର ମହାପର୍ବ।ଗଣତନ୍ତ୍ର କୁ ସୁଦୃଢ ଓ ସଶକ୍ତ କରିବାରେ ମତଦାତା ଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ।ତେଣୁ ନିଜ ସାମ୍ବିଧାନିକ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ଆଗାମୀ ମଇ ୨୫ ତାରିଖରେ ପୁରୀ, ବ୍ରହ୍ମଗିରି,ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ଏବଂ ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ର ଭୋଟର ମାନେ ନିଶ୍ଚିତ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।

ଆଜି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ବୁଥ ଅନୁଧ୍ୟାନ କରିଥିଲେ।ବୁଥ ଗୁଡ଼ିକ ରେ ଭୋଟର ମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ଯଥା ପାନୀୟ ଜଳ ବ୍ୟବସ୍ଥା, ଅପେକ୍ଷା ସ୍ଥଳରେ ଛାଇ ବ୍ୟବସ୍ଥା,ରାମ୍ପ ବ୍ୟବସ୍ଥା,ଶୌଚାଳୟ ଇତ୍ୟାଦି ବ୍ୟବସ୍ଥା କୁ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଓ ଏସପି ପିନାକ ମିଶ୍ର ସମସ୍ତ ଭୋଟର ମାନେ ନିଶ୍ଚିତ ମତଦାନ ପାଇଁ ଅନୁରୋଧ କରିଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ଓ ଏସପି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର ମଇଁଷା ପ୍ରାଥମିକ ବିଦ୍ୟାଳୟ, ବରହମପୁର ପ୍ରାଥମିକ ବିଦ୍ୟାଳୟ ଓ ଅଳନ୍ଦାପାଟଣା ପ୍ରାଥମିକ ବିଦ୍ୟାଳୟ ରେ ହେବାକୁ ଥିବା ବୁଥ କୁ ଡଙ୍ଗା ମାଧ୍ୟମରେ ଯାଇ ପରିଦର୍ଶନ କରିଥିଲେ।ଦୁଇ ଜିଲ୍ଲା ମୁଖ୍ୟ ଙ୍କୁ ଦେଖି ସେଠାର ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିବା ସହ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର ନିର୍ବାଚନ ରାକେଶ କୁମାର ପଣ୍ଡା,ବିଡ଼ିଓ କୃଷ୍ଣ ପ୍ରସାଦ ଅମୀୟ କୁମାର ପଣ୍ଡା, ତହସିଲଦାର କୃଷ୍ଣ ପ୍ରସାଦ ଅଭିଷେକ ସାହୁ, ବ୍ରହ୍ମଗିରି ବିଡ଼ିଓ ମଳୟ କୁମାର ନାୟକ, ବ୍ରହ୍ମଗିରି ତହସିଲଦାର ବିଦ୍ୟାଧର ଦଣ୍ଡପାଟ ପ୍ରମୁଖ ଯୋଗ ଦେଇଥିଲେ।ପରେ ଜିଲ୍ଲାପାଳ ଓ ଏସପି କୃଷ୍ଣ ପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିର୍ବାଚନ କାର୍ଯ୍ୟ ର ସମୀକ୍ଷା କରିଥିଲେ।
