ବନ୍ଦ କୋଠରୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ରବିବାର ସକାଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ରେଗିଡି ସାହିର ଏକ ବନ୍ଦ ଘର ଭିତରୁ ହିଞ୍ଜିଳି ପୁଲିସ ଜଣେ ଶିକ୍ଷକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଅଞ୍ଚଳର ରାମ କୁନଓ୍ବାର ରାମ (୪୫) । ସେ ‌ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଏସଏସଟି ବିଭାଗର ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁରଜ ବେହେରାଙ୍କ ଉପସ୍ଥିତିରେ ବନ୍ଦ କୋଠରୀ ତାଲା ଭାଙ୍ଗି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୧୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ରବିବାର ସକାଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଳରେଗିଡି ସାହିର ଏକ ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ଘଟଣା ନେଇ ପଡୋଶୀ ବିଜୟ ପାତ୍ର ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଅନୁମାନ କଲେ ଜଣାପଡେ ସଂପୃକ୍ତ ଶିକ୍ଷକ ଜଣଙ୍କ ୨/୩ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ ଶିକ୍ଷକଙ୍କ ମୃତ୍ୟୁ କିପରି ହେଲା ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

Leave a Reply

Your email address will not be published. Required fields are marked *