କାକଟପୁର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ
ଓଡିଶା ପ୍ରସିଦ୍ଧ ଶକ୍ତିପୀଠ କାକଟପୁରରେ ଅଧିଷ୍ଠାତ୍ରୀ ମା ମଙ୍ଗଳାଙ୍କ ଶେଷ ପାଳି ମଙ୍ଗଳବାର ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ପ୍ରାତଃରୁ ସେବକ ମାନଙ୍କ ଦ୍ଵାରା ମାଙ୍କ ଦ୍ଵାର ଫିଟା ନୀତି, ମଙ୍ଗଳ ଆରତୀ, ସ୍ନାନ, ମାଜଣା, ଚନ୍ଦନ ଲାଗି ବେଶ ପରେ ପରେ ସୂର୍ଯ୍ୟ ପୂଜା ନୀତି, ବଲ୍ଲଭ ଧୂପ ଓ ସକାଳ ଧୂପ ସହ ସର୍ବ ସାଧାରଣଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହୋଇଥିଲା। ଓଡିଶାର କୋଣ ଅନୁ କୋଣରୁ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା। ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଅସହ୍ୟ ଗରମ କୁ ଖାତିର ନକରି ଶ୍ରଦ୍ଧାଳୁ ମାନେ ଦୀର୍ଘ ସମୟ ଧାଡ଼ିରେ ରହି ମାଙ୍କୁ ପାଖରୁ ଦର୍ଶନ କରିଥିଲେ।

କେତେକ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇ ବିଭୋର ହୋଇଥିଲେ। ଖୁସିରେ ଆତ୍ମହରା ହେଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ଘଣ୍ଟପାଟୁଆ ମାନେ ମାଙ୍କ ଠାରୁ ଆଜ୍ଞାମାଳ ନେଇ ପବିତ୍ର ପ୍ରାଚୀ ନଦୀ କୁ ଯାଇ ପାଣି ଆଣିବା ସହ ପୀଠକୁ ଫେରିଥିଲେ। ପୁର୍ବରୁ ପ୍ରସ୍ତୁତ ହୋଇଥିବା ଝାମ ବା ଅଗ୍ନି ଗର୍ତ୍ତରେ ଚାଲିବା ଓ ଦୌଡିବା ସହ ନୃତ୍ୟ ପରିବେଷଣ କରିଥିଲେ। ଯାହା ଝାମୁ ଯାତ୍ରାର ମୂଖ୍ୟ ଆକର୍ଷଣ ଥିଲା। ଏହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଜମା ହୋଇଥିଲେ।
