ବାରହା ଶିକାର ପାଇଁ ବିଦ୍ୟୁତ୍ ଫାସ

,
ବୁଗୁଡ଼ା : ୨୭/୦୪ ବୁଗୁଡା ବନାଞ୍ଚଳରେ ବନ୍ଯଜନ୍ତୁ ଶିକାର ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଗତକାଲି ବାରହା ଶିକାର ପାଇଁ ପକାଯାଇଥିବା ବିଦ୍ଯୁତ୍ ଫାସରେ ପଡି ଜନୈକ ଚାଷୀ ମୃତ୍ୟୁ ବରଣ କରିଥିବା ଏବଂ ଅଭିଯୁକ୍ତ ଶିକାରୀଙ୍କୁ ପୋଲିସ ଗିରଫ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ମୃତ ଚାଷୀ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକର ଗ୍ରାମର ଅରୁଣ ନାୟକ(୩୮)ଏବଂ ଗିରଫ ଅଭିଯୁକ୍ତ ଶିକାରୀ ଜଣକ ହେଲେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ଜେନା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ କେସ୍ ନଂ ୩୦୩/୨୪ରେ ଏକ ମାମଲା ରୁଜୁ କରିଥିବା ନେଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ଗତକାଲି କୃଷ୍ଣଚନ୍ଦ୍ର ବାରହା ଶିକାର କରିବା ଉଦ୍ଦେଶ୍ୟରେ ତାଳସାକର ଗାଁର ଆଗୁଳ ତଳ ବିଲରେ ୧୧ କେଭିରୁ ବିଦ୍ଯୁତ୍ ତାର ସଂଯୋଗ କରି ଫାସ ବିଛାଇଥିଲେ । ଅନ୍ଯପକ୍ଷରେ ଅରୁଣ ନିଜର ଚଣା ପଦରରେ ପାଣି ମାଡିବାକୁ ଯାଉଥିଲା ବେଳେ ବାରହା ଶିକାର ସକାଶେ ବିଛାଯାଇଥିବା ବିଦ୍ଯୁତ୍ ଫାସରେ ଛନ୍ଦି ହୋଇ ମୃତ୍ୟୁ ବରଣ କରିଥିଲେ । ପରିବାର ଲୋକେ ରାତିରେ ଅରୁଣଙ୍କ କୌଣସି ଖୋଜ ଖବର ପାଇ ପାରିନଥିଲା ବେଳେ ସକାଳେ ସେହି ରାସ୍ତାରେ ଯାଉଥିବା ସମୟରେ ଅରୁଣଙ୍କ ମୃତ ଦେହ ବିଦ୍ଯୁତ୍ ଫାସରେ ଛନ୍ଦି ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ଏ ନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଏବଂ ବିଦ୍ୟୁତ୍ ଫାସର ସମସ୍ତ ସରଞ୍ଜାମକୁ ଜବତ କରିବା ସହ ଶିକାରୀ କୃଷ୍ଣଚନ୍ଦ୍ରକୁ ଗାଁ ନିକଟ ଜଙ୍ଗଲରୁ ଧରିଥିଲା ।

Leave a Reply

Your email address will not be published. Required fields are marked *