ତୁଷାରଙ୍କ ମାରାଥନ ପ୍ରଚାର, ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କଲେ ନିବେଦନ
କୋଣାର୍କ,୨୫.୦୫()-ଆଙ୍କରପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଶନିବାର ମାରାଥନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଗୋପ ବ୍ଲକ ଅନ୍ତର୍ଗତ ସିମିଳି, ବନାଖଣ୍ଡି, ଅଚ୍ୟୁତପୁର ଓ ବଉଲାଙ୍ଗ ଗ୍ରାମ ପଞ୍ଚାୟତରେ ସକାଳୁ ଦିନ ତମାମ ମାରାଥନ ପ୍ରଚାର କରିଥିଲେ। ପ୍ରତି ପଞ୍ଚାୟତରେ ସଂପୃକ୍ତ ଜନ ପ୍ରତିନିଧି ଓ କର୍ମୀ ମାନଙ୍କୁ ନେଇ ଭିନ୍ନ ଭିନ୍ନ ଭାବେ ବିଜୁ ଜନତା ଦଳ ପାଇଁ ଗାଁ ଗାଁ ଭୋଟ ଭିକ୍ଷା କରିଥିଲେ। ପ୍ରଥମେ ସିମିଳି ଗ୍ରାମ ପଞ୍ଚାୟତରେ ବିଜେଡ଼ି ସଭାପତି ବିଜୟ କୁମାର ସେଠ୍ ଓ ସମିତି ସଭ୍ୟା ମିନତି ସାହୁଙ୍କ ନେତୃତ୍ୱରେ ସହ ଶହ କର୍ମୀ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ପ୍ରତି ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ। ପରେ ବନାଖଣ୍ଡି ପଞ୍ଚାୟତରେ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପା ରାଣୀ ସ୍ବାଇଁ, ବିଜେଡ଼ି ଯୁବ ସଭାପତି ବିଶ୍ୱଜିତ୍ ବିଶ୍ଵାଳ (ଫିଲୁ) ଙ୍କ ନେତୃତ୍ୱରେ ଦୁଇ ଶହ ରୁ ଉର୍ଦ୍ଧ୍ବ ବାଇକ ଜରିଆରେ କର୍ମୀ ମାନଙ୍କ ସହ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୋଭାଯାତ୍ରା କରି ଭୋଟ ପ୍ରଚାର କରିଥିଲେ। ସେହିପରି ଅଚ୍ୟୁତପୁର ପଞ୍ଚାୟତରେ ସରପଞ୍ଚ ରଶ୍ମିତା ଶତପଥି ଓ ବିଜେଡ଼ି ସଭାପତି ଭକ୍ତ ବଲ୍ଲଭ ଦାଶ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସମସ୍ତ ଗାଁ ବୁଲି ନିର୍ବାଚନ ପ୍ରଚାର କରି ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଶେଷରେ ଖରାଗାଁ ଗ୍ରାମଦେବୀଙ୍କ ପୀଠରେ ପ୍ରଚାର ଶେଷ ହୋଇଥିଲା। ସେଠାରେ ଖରାଗାଁ ଖଣ୍ଡୁଆଳି ଗ୍ରାମ୍ୟ କମିଟି ସମ୍ପାଦକ ତଥା କୋଣାର୍କ ଏନଏସି ୧୨ ନମ୍ବର କାଉନସିଲର ପ୍ରତିନିଧି ସୁଦର୍ଶନ ମଲ୍ଲିକ, ଓ ସଭାପତି ସଚିତ୍ରମୋହନ ପାତ୍ର ପ୍ରମୁଖ ନିର୍ବାଚନ ପ୍ରଚାରରେ ସହଯୋଗ କରିଥିଲେ।
