ବିଜୁ ପଟ୍ଟନାୟକ ଖେଳ ଭବନ କାହା ସ୍ୱାର୍ଥରେ
।ନିମାପଡା ଏନସି ଅନ୍ତର୍ଗତ ଚାରି ନମ୍ବର ୱାର୍ଡ ଦେବୀ ମଣ୍ଡପ ସାହି ହାଇସ୍କୁଲ ପଛ ପଟ ପଡିଆରେ ବିଜୁ ପଟ୍ଟନାୟକ ଖେଳ ଭବନ ନିର୍ମାଣ ହୋଇଛି। 4 କୋଟି 71 ଲକ୍ଷ 49 ହଜାର 577 ଟଙ୍କା ବ୍ୟୟରେ ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମିତ ହୋଇଛି। ତେବେ ଏତେ ଟଙ୍କା ବ୍ୟୟ ଏଠାରେ କରା ଯାଇ ହଲ ଭିତରେ ଏକ ବ୍ୟାଡ଼ମିଣ୍ଟନ କୋର୍ଟ କରା ଯାଇଛି। କେବଳ ଏଠାରେ ବ୍ୟାଡ଼ମିଣ୍ଟନ ଖେଳ ହେଉଛି। ଯେଉଁ ମାନେ ଏଠାରେ ଖେଳିବେ ସେ ଅନ ଲାଇନରେ ଆବେଦନ କରି ନିଜର ପ୍ଲେ କାର୍ଡ ଦେଖାଇ ଏଠାରେ ଖେଳି ପାରିବେ। ସମ୍ପୂର୍ଣ ଭାବରେ ଏହି ଇଣ୍ଡୋର ଷ୍ଟାଡିୟମଟି ବ୍ୟାଡ଼ମିଣ୍ଟନ ପାଇଁ ସମର୍ପିତ। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଖେଳ ଭବନଟି କଣ ବ୍ୟାଡ଼ମିଣ୍ଟନ ପାଇଁ କରା ଯାଇଥିଲା।

ନିର୍ଦିଷ୍ଟ କେବଳ ଗୋଟିଏ ଖେଳ ବ୍ୟାଡ଼ମିଣ୍ଟନ ପାଇଁ କାହିଁକି ବ୍ୟବସ୍ଥା କରାଗଲା। ଅନ୍ୟାନ୍ୟ ଇଣ୍ଡୋର ଖେଳ ପାଇଁ ଏଠାରେ ବ୍ୟବସ୍ଥା କରା ଯାଇଥିଲେ ହୁଏତ ଅନ୍ୟ ଖେଳାଳି ମାନେ ମଧ୍ୟ ଏଠାରେ ଉପକୃତ ହୋଇ ପାରି ଥାନ୍ତେ। ସବୁ ଖେଳାଳିଙ୍କ ପସନ୍ଦ ବ୍ୟାଡ଼ମିଣ୍ଟନ ନୁହେଁ ଅନ୍ୟାନ୍ୟ ଖେଳ ମଧ୍ୟ ରହିଛି ।ଅନ୍ୟ ସବୁ ଖେଳକୁ ଏଠାରେ ପ୍ରୋତ୍ସାହନ ଦିଆ ଯାଇଥିଲେ ଅଂଚଳର ସମସ୍ତ ଖେଳାଳି ଉପକୃତ ହେବା ସହ ସଫଳ ଖେଳାଳି ହୋଇ ପାରିଥାନ୍ତେ। ଏହାଛଡ଼ା ଅନ୍ୟାନ୍ୟ ଖେଳକୁ ପ୍ରୋତ୍ସାହିତ କରା ଯାଇଥିଲେ ଅନେକ କ୍ରୀଡ଼ାବିତ ମାନେ ମଧ୍ୟ ଉପକୃତ ହୋଇ ପାରିଥାନ୍ତେ।ପାଖାପାଖି 5 କୋଟି ବ୍ୟୟ କରାଯାଇଥିବା ଏହି ବ୍ୟାଡ଼ମିଣ୍ଟନ କୋର୍ଟରୁ କେତେ ଖେଳାଳି ବାହାରି ନିମାପଡା ଅଞ୍ଚଳର ନାଁ ରଖୁଛନ୍ତି ତାହା ଆଗାମୀ ଦିନର ସମୟ ହିଁ କହିବ। ସ୍ପୋର୍ଟ୍ସ ବିଭାଗ ବ୍ୟାଡ଼ମିଣ୍ଟନ ସହିତ ଯଦି ଅନ୍ୟାନ୍ୟ ଖେଳ ପ୍ରତି ଏଠାରେ ଦୃଷ୍ଟି ଦେଇଥାନ୍ତେ ତେବେ ଅନ୍ୟ କ୍ରୀଡ଼ାବିତ ମାନେ ମଧ୍ୟ ଉପକୃତ ହୋଇ ପାରିଥାନ୍ତେ ବୋଲି କ୍ରୀଡ଼ାବିତ ମତ ପ୍ରକାଶ କରିଛନ୍ତି।
