ବାଲୁଙ୍କେଶ୍ୱର ମହାଦେବଙ୍କ ଠାରେ ଜଳ ଲାଗି କଲେ ଶତାଧିକ କାଉଡ଼ିଆ
ହିଞ୍ଜିଳିକାଟୁ:- ୨୨/୭ ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡ଼ିଆ ମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ପ୍ରଥମ ସୋମବାର ସକାଶେ କାଉଡ଼ିଆ ମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଶୈବପୀଠ ଗୁଡ଼ିକରେ ଜଳଲାଗି କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ଶତାଧିକ କାଉଡ଼ିଆ ରବିବାର ରାତିରେ କାଞ୍ଜିଆମା ନିକଟସ୍ଥ ଋଷିକୂଲ୍ୟା ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ପହଞ୍ଚି ପୁରୋହିତ ବସନ୍ତ ପଣ୍ଡାଙ୍କ ପୂଜା ହୋମାଦି ସହ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ ପୂର୍ବକ କଳସରେ ଜଳ ଧାରଣ କରିବା ସହ ଚନ୍ଦନ, କର୍ପୁର ଓ ବିଭିନ୍ନ ସୁବାଷିତ ମହୋଷଧି ମିଶ୍ରଣ ପୂର୍ବକ ବାହୁଙ୍ଗିରେ ପୂର୍ଣ୍ଣକୁମ୍ଭ କଳସକୁ କାନ୍ଧରେ ବୋହି ବୋଲବମ ହରହର ବମ, ଜଟିଆ ବାବା ପାର୍ କରେଗା ସମେତ ଶିବ ନାମ ଜପ କରି କବିସୂର୍ଯ୍ୟନଗର ବ୍ଳକ ଝାଡବାଇ ସ୍ଥିତ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠ ଠାରେ ପହଞ୍ଚି ଜଳ ଲାଗି କରିଥିଲେ ।ମନ୍ଦିର ପରିସରରେ ହବିଷାନ୍ନ ବ୍ୟଞ୍ଜନ ପ୍ରସ୍ତୁତି ପୂର୍ବକ ପ୍ରସାଦ ସେବନ କରି ଅପରାହ୍ନରେ ନିଜ ନିଜ ଗୃହକ ପ୍ରତ୍ୟାଗମନ କରିଥିଲେ । ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ସିମାଞ୍ଚଳ ମୁଦୁଲି, ଗୋପାଳ କୃଷ୍ଣ ସାହୁ, ଅଶୋକ କୁମାର ପ୍ରଧାନ, ଶେଷଦେବ ସାହୁ, କାଳିଆ ନାୟକ, ବାବୁ ଡ଼ାକୁଆ, କୃଷ୍ଣଚନ୍ଦ୍ର ପଣ୍ଡା, ଜଗନ୍ନାଥ ଚୌଧୁରୀଙ୍କ ସମେତ ଶତାଧିକ କାଉଡ଼ିଆ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ଲକ୍ଷ୍ମୀ ବଜାର ଚନ୍ଦ୍ରକଳ୍ପେଶ୍ବର ବୋଲବମ୍ ସଂଘର ଶତାଧିକ କାଉଡିଆ ଭକ୍ତ କେଶରା ଋଷିକୂଲ୍ୟା ନଦୀରୁ ପବିତ୍ର ଜଳ ଧାରଣ କରି ସୋରଡା ସ୍ଥିତ ପଞ୍ଚାନନ ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାର୍ଚ୍ଚନା ସକାଶେ ଅନୁମତି ଦିଆଯାଇଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଞ୍ଜିଳିର ସ୍ୱପ୍ନେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶିବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁବୁରୁପୋଡ଼ାର ମୁଦୁକେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର ସମେତ ନିକଟବର୍ତ୍ତୀ ସାରୁର ସ୍ବପ୍ନେଶ୍ବର, ଶାସନଆମ୍ବଗାଁ ରାମେଶ୍ବର, ପୋଚିଲିମା ବାଲୁଙ୍କେଶ୍ୱର, କଞ୍ଚୁରୁ ସ୍ବପ୍ନେଶ୍ବର ସମେତ ଚାନ୍ଦୁଲି, ମକରଝୋଳ, ସମରଝୋଳ, ଭେଙ୍କେଟରାୟପଲ୍ଲୀ, ସିଙ୍ଗିପୁର,କଞ୍ଚୁରୁ, ଦୁର୍ବନ୍ଧ, ସିକିରି, ରାଳବ,ଗିରିଆ, ନନ୍ଦିକ, ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ଆଦି ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ଭକ୍ତ,ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବା ସହ ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ବହୁ ଭକ୍ତ ଶୈବପୀଠ ପରିସରରେ ହବିଷାନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ଓ ପ୍ରିୟଜନ ମାନଙ୍କୁ ସହ ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର କମିଟି, ପୁଲିସ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କ ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ।
