ଏକାଦଶ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ଓଡ଼ିଶା ସାରସ୍ଵତ ଜଗତର ମହାନ କବି, ବିଶିଷ୍ଟ ସଂସ୍କୃତି ଗବେଷକ,ଶିଷ୍ଟ ସାହିତ୍ୟିକ, ପ୍ରଚଣ୍ଡ ବାଗ୍ମୀ ଓ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ କଥା କୌସ୍ତୁଭ କୁମାର କବି ଅରକ୍ଷିତ ପ୍ରଧାନ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ କୁମାର କବି ଫାଉଣ୍ଡେସନ ଓ ନଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆଜି ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ସ୍ଥିତ ଦାସରଥୀ ପ୍ୟାଲେସ ସଭାଗୃହ ରେ ଏକାଦଶ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ବଦ୍ରି ମିଶ୍ର, ଡକ୍ଟର ଅଭିମନ୍ୟୁ ବରାଳ,ତରୁଣକବି ଦାମୋଦର ପରିଡ଼ା, ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।୨୦୨୦ ବର୍ଷ ନିମନ୍ତେ ସାହିତ୍ୟିକ ଡକ୍ଟର ବଳରାମ ଦାସ ଓ ୨୦୨୧ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଙ୍କୁ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ କୁମାର କବି ସମ୍ମାନ ରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନ ର ସଭାପତି ଅଧ୍ୟାପକ ବସନ୍ତ କୁମାର ମିଶ୍ର ଏଥିରେ ସଭାପତିତ୍ବ କରିଥିଲେ। ଫାଉଣ୍ଡେସନ ର ସମ୍ପାଦକ ଆଇନଜୀବୀ ଦିଗମ୍ବର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ କୁମାର କବି ଥିଲେ ମାଟିର ମହକ,ମହାକବି ଓ ଶିଷ୍ଟ ସାହିତ୍ୟିକ। ଉତ୍କଳୀୟ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ଶ୍ରୀଜଗନ୍ନାଥ ସଂସ୍କୃତି ର ସୁରକ୍ଷା, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ କୁ ଏ ଜାତି ଚିରକାଳ ପାଇଁ ମନେ ରଖିବ ବୋଲି ସେ କହିଥିଲେ। ଅନୁଷ୍ଠାନ ର ଦାବି ସମ୍ପର୍କରେ ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କୁମାର କବିଙ୍କ ସମସ୍ତ ସାହିତ୍ୟ କୃତିକୁ ଏକାଠି କରି କୁମାର କବି ଗ୍ରନ୍ଥାବଳୀ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ସାହିତ୍ୟ ଏକାଡେମୀ ତରଫରୁ ପ୍ରତିବର୍ଷ ତାଙ୍କର ଜନ୍ମ ଦିନ ଓ ଶ୍ରାଦ୍ଧ ଦିବସ ପାଳନ କରାଯିବ ଓ ନିୟମିତ ବାର୍ଷିକ ପଞ୍ଜିକାରେ ଏହା ସ୍ଥାନୀତ ହେବ ।ଐହାଫଳରେ କୁମାର କବିଙ୍କ ସମଗ୍ର ସାହିତ୍ୟ ସୃଷ୍ଟି କୁ ସଂରକ୍ଷଣ କରିବାରେ ଆମେ ସମର୍ଥ ହେଵା ଓ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାରେ ସଫଳ ହେବା। ସମ୍ବର୍ଦ୍ଧନା ର ଉତ୍ତର ରେ ଡକ୍ଟର ବଂଶୀଧର ଷଡ଼ଙ୍ଗୀ କହିଥିଲେ ଯେ କୁମାର କବିଙ୍କ ଭଳି ଜଣେ ମହାନ କବିଙ୍କ ସମ୍ପର୍କରେ ଓଡ଼ିଆ ସାହିତ୍ୟର ଇତିହାସ ଆଲୋଚନା ନକରିବା ବିଡ଼ମ୍ବନାର ବିଷୟ। ଆଗାମୀ ଇତିହାସରେ କୁମାର କବିଙ୍କୁ ଉଚିତ୍ ନ୍ୟାୟ ଦେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାହିତ୍ୟିକ ବଦ୍ରି ମିଶ୍ର କୁମାର କବିଙ୍କ ସମଗ୍ର ସାରସ୍ଵତ କୃତି ଓଡ଼ିଆ ଜାତି ପାଇଁ ବରଦାନ ସଦୃଶ ବୋଲି କହିଥିଲେ। ତାଙ୍କର ସମସ୍ତ ରଚନା କୁ ବିରାଟ ପାଠକ ଗୋଷ୍ଠୀ ନିକଟରେ ପହଞ୍ଚାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଦରକାର ବୋଲି କହିଥିଲେ। ସମ୍ମାନୀତ ଅତିଥି ଡକ୍ଟର ଅଭିମନ୍ୟୁ ବରାଳ କୁମାର କବିଙ୍କୁ ଜଣେ ଅନନ୍ୟ ବାଗ୍ମୀ ଓ ବିସ୍ମୟ କବି ବୋଲି କହିଥିଲେ। ସାହିତ୍ୟିକ ଡକ୍ଟର ବଳରାମ ଦାସ ଅସୁସ୍ଥ ଥିବାରୁ ତାଙ୍କର ଶୁଭେଛା ବାର୍ତ୍ତା ସଭାରେ ପାଠ କରାଯାଇଥିଲା ଏବଂ ତାଙ୍କର ଇଛାନୁସାରେ ସମ୍ପାଦକ ଦିଗମ୍ବର ବେହେରା ଡଃ ବଳରାମ ଦାସ ଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଥିଲେ।କବି ଦାମୋଦର ପରିଡ଼ା କୁମାର କବିଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ,ବିଭୂଦାସ ଭିକାରୀ ଚରଣ ଜେନା, ସୁଶାନ୍ତ ଜେନା, ଶିକ୍ଷାବିତ କାଶୀନାଥ ନାୟକ,ଗବେଷକ ନୀଳମଣି ସୁଆର, ସଂସ୍କୃତି ପୁରୁଷ ଭାଗିରଥି ଦଳାଇ,କବି କସ୍ତୁରୀ ଦିଲ୍ଲିପ ଶ୍ରୀଚନ୍ଦନ,ଲେଖକ ସୁନୀଲ କୁମାର ମିଶ୍ର ପ୍ରମୁଖ କୁମାର କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ରାଜ୍ୟ ସମାଜ ସେବା ପୁରସ୍କାର ପ୍ରାପ୍ତ ସମାଜସେବୀ ସମୀର କୁମାର ପ୍ରଧାନ, ଅନୁଷ୍ଠାନ ର କୋଷାଧ୍ୟକ୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ସୁଶାନ୍ତ ପ୍ରଧାନ,କବି ସତ୍ୟନାରାୟଣ ପ୍ରଧାନ ଓ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ମାଝୀ କାର୍ଯ୍ୟ କ୍ରମର ପ୍ରମୁଖ ସଂଯୋଜନା କରିଥିଲେ। କୁମାର କବିଙ୍କ ସୁପୁତ୍ର ସଂଗଠକ ଆଲୋକ କୁମାର ପ୍ରଧାନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।ଶ୍ୟାମପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭ ରେ ସୁଶ୍ରୀ ସ୍ମୃତି ବେହେରା କୁମାର କବିଙ୍କ ଉଦ୍ଦେଶ୍ୟରେ ବକ୍ତୃତା ଦେଇଥିଲେ ଏବଂ ତାଙ୍କୁ କୁମାର କବି ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଶିକ୍ଷାବିତ ସଦାଶିବ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *