ପରଜଙ୍ଗ ଅଞ୍ଚଳରେ ବଢୁଛି ହାତୀ ଉତ୍ପାତ
ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଓ ମହାବିରୋଡ଼ ରେଞ୍ଜ ରେ ବଢ଼ିଚାଲିଛି ହାତୀ ଉତ୍ପାତ l ଯାହା ଫଳରେ ବ୍ୟାପକ ଧନଜୀବନ ନଷ୍ଟ ହେବାରେ ଲାଗିଛି l ଗତକାଲି ବିଳମ୍ବିତ ରାତିରେ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ର ମଝିକା ପ୍ରାଥମିକ ବିଦ୍ୟାଳୟ ରେ ହାତୀ ପଶି ବିଦ୍ୟାଳୟ ର ରୋଷେଇ ଘର ର କବାଟ ଭାଙ୍ଗିବା ସହ ଷ୍ଟୋର ରୁମ ରେ ଥିବା ଚାଉଳ ଖାଇ ଦେଇଛି l ବିଦ୍ୟାଳୟ ର ପାଚେରୀ ନଥିବାରୁ ହାତୀ ସ୍ଥାନୀୟ ଧାନକ୍ଷେତ ରୁ ଅନାୟାସ ରେ ବିଦ୍ୟାଳୟ ରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଂକିଳୀ, ପଥରଖମ୍ବ, ମୁକ୍ତାପଶି, ବସୋଈ ଗାଁ ରେ ହାତୀପଲ ବ୍ୟାପକ ଧାନତଳି ନଷ୍ଟ କରିଛନ୍ତି l ଗୋଟିଏ ପଟେ ଏବେ ଫସଲ ରୁଆ ଓ ବେଉସଣ ସମୟ ହୋଇଥିବା ବେଳେ ବାରମ୍ବାର ହାତୀ ଉପଦ୍ରବ ଚାଷୀ ମାନଙ୍କ ଫସଲ ରେ ବ୍ୟାପକ କ୍ଷୟକ୍ଷତି କରୁଛି l ହାତୀ ଉପଦ୍ରବ ନେଇ ବନବିଭାଗ କୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଭାଗ ତରଫରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାନଯାଉଥିବାରୁ ପରଜଙ୍ଗ ର ବିଭିନ୍ନ ବନାଞ୍ଚଳ ରେ ହାତୀ ଉତ୍ପାତ ବୃଦ୍ଧି ପାଇ ଧନଜୀବନ ନଷ୍ଟ ହେବାରେ ଲାଗିଛି l
