ବସ୍ ଟର୍ମିନାଲ ପାଲଟିଛି ରୋଡ୍ ରୋମିଓଙ୍କ ଆଡ୍ଡାସ୍ଥଳୀ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ବର୍ତ୍ତମାନ ରୋଡ୍ ରୋମିଓଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ରୋଡ୍ ରୋମିଓ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ହିଞ୍ଜିଳିକାଟୁ କଲେଜ ଓ ଘରୋଇ ଟିୟୁସନକୁ ଆସୁଥିବା ଛାତ୍ରୀ ମାନଙ୍କୁ ସର୍ବସମ୍ମୁଖରେ ଯୁବ ରୋଡ୍ ରୋମିଓ ମାନେ ଆଶାଳୀନ ଇଙ୍ଗିତ କରିବା ସହ କମେଣ୍ଟ ମାରୁଥିବା ନିତିଦିନିଆ ଘଟଣା ପାଲଟିଛି । ମଙ୍ଗଳବାର ୬ଜଣ ଯୁବକ ୨ଟି ବାଇକ୍ରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚି କିଛି ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଉପସ୍ଥିତ କିଛି ଲୋକେ କମେଣ୍ଟ କରୁଥିବା ଯୁବକ ମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୫ ଜଣ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । କାବୁ କରାଯାଇଥିବା ଯୁବକଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ପୁଲିସକୁ ଡାକି ଜିମା ଦେଇଥିବା ଜଣାପଡିଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ୩ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଶିକ୍ଷା ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟକୁ ଯିବା ପୂର୍ବରୁ ଓ ମହାବିଦ୍ୟାଳୟ ଛୁଟି ପରେ ସ୍ଥାନୀୟ ପୌରାଞ୍ଚଳରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା ୨୦ରୁ ଉର୍ଦ୍ଧ୍ୱ ଘରୋଇ ଟିୟୁସନକୁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବହୁ ଛାତ୍ର, ଛାତ୍ରୀ ପାଠ ପଢିବା ସକାଶେ ଆସୁଥିବା ଦେଖିବାକୁ ମିଳିଛି । ଏଥି ସକାଶେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ କଲେଜ ପଢୁଆ ବହୁ ଛାତ୍ର, ଛାତ୍ରୀଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବସ୍ ଟର୍ମିନାଲ ପରିସରରେ ପୁଲିସ ପ୍ରଶାସନ ପକ୍ଷରୁ କେବଳ ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଛି । ବସ୍ ଟର୍ମିନାଲ ପରିସରରେ ପୌର କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ସିସିଟିଭି ସଂଯୋଗ କରାଯାଇନାହିଁ । ଏହାର ସୁଯୋଗ ନେଇ ନିର୍ଦ୍ଧିଷ୍ଟ ଯୁବଗୋଷ୍ଠୀର କିଛି ରୋଡ୍ ରୋମିଓ ବସ୍ ଟର୍ମନାଲ ପରିସରରେ ପହଞ୍ଚି ଛାତ୍ରୀ ମାନଙ୍କୁ ଆଶାଳୀନ ଇଙ୍ଗିତ କରିବା ସହ କମେଣ୍ଟ କରୁଥିବା ନିତିଦିନଆ ଘଟଣା ପାଲଟିଛି । ଲୋକଲଜ୍ୟା ଏବଂ ଅସାମାଜିକ ଯୁବଗୋଷ୍ଠୀଙ୍କ ଭୟରେ ଛାତ୍ରୀ ମାନେ ଘଟଣା ନେଇ ପରିବାର ସଦସ୍ୟ କିମ୍ବା ପୁଲିସ ନିକଟରେ ଅଭିଯୋଗ କରୁନଥିବା ନେଇ କିଛି ଛାତ୍ରୀ ନିଜ ନାମକୁ ଗୋପନ ସୂତ୍ରରୁ ଜଣାଇଛନ୍ତି । ମଙ୍ଗଳବାର ସକାଳେ ୬ ଜଣ ଯୁବକ ୨ଟି ମୋଟର ସାଇକେଲରେ କ୍ଷିପ୍ର ଗତିରେ ବସ୍ ଟର୍ମିନାଲ ପରିସରରେ ଚକ୍କର କାଟିବା ସହ ଉପସ୍ଥିତ କିଛି ଛାତ୍ରୀଙ୍କୁ ଆଶାଳୀନ ଇଙ୍ଗିତ କରିଥିଲେ । ସେହି ସମୟରେ ଏକ ଯାତ୍ରୀବାହୀ ଅଟୋ ବସ୍ ଟର୍ମିନାଲ ମଧ୍ୟକୁ ଆସୁଥିବା ବେଳେ ଗୋଟିଏ ବାଇକରେ ଆସୁଥିବା ୩ଜଣ ଯୁବକ ଭାରସାମ୍ୟ ହରାଇ ତଲେ ପଡି ଯାଇଥିଲେ । ବସ୍ ଟର୍ମିନାଲ ପରିସରରେ ଥିବା କିଛି ଛାତ୍ରୀ ଓ ଲୋକେ ଏହାକୁ ନେଇ କମେଣ୍ଟ କରିବାର ମଜା ମିଳିଗଲା ବୋଲି କହିଥିଲେ । ଘଟଣାକୁ କେନ୍ଦ୍ର କରି ବାଇକରେ ବସିଥିବା ୩ ଯୁବକ ସହ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡୋଗୋଳ ଘଟିଥିଲା । କିଛି ସମୟ ପରେ ବସ୍ ଟର୍ମିନାଲ ପରିସରରେ ଥିବା କିଛି ଲୋକେ ସଂପୃକ୍ତ ରୋଡ୍ ରୋମିଓ ମାନଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ କୌଶଳ କ୍ରମେ ଘଟଣା ସ୍ଥଳରୁ ୫ଜଣ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଜଣେ ଯୁବକଙ୍କୁ କାବୁ କରିବା ପରେ ଉତ୍ତମ ମଧ୍ୟମ ଦେବା ପରେ ପୁଲିତସକୁ ଡାକି ଜିମା ଦେଇଥିଲେ । ଘଟଣାର ପ୍ରାୟ ଅଧ ଘଣ୍ଟା ପରେ ୧୫ରୁ ୨୦ ଜଣ ଯୁବକ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆତଙ୍କ ସୃଷ୍ଟି କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେକୁ ସଂପୃକ୍ତ ଯୁବଗୋଷ୍ଠୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପ୍ରକାଶ ଥାଉକି, ପ୍ରତିଦିନ ଏକ ନିଦ୍ଧିଷ୍ଟ ଗୋଷ୍ଠୀର ରୋଡ୍ ରୋମୀଓ ମାନେ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମରାକୁ କେନ୍ଦ୍ର କରି ପ୍ରତ୍ୟହ ଛୋଟବଡ କଳହ ସୃଷ୍ଟି ହେଉଥିବାର ନଜିର ରହିଛି । ଘଟଣା ପରେ ଅଭିଭାବକ ମାନେ ସେମାନଙ୍କ କନ୍ୟାଙ୍କୁ ହିଞ୍ଜିଳିକାଟୁ ଅଞ୍ଚଳକୁ ଏକାକୀ କଲେଜ କିମ୍ବା ଟିୟୁସନ ଛାଡିବାକୁ ନେଇ ଅଜଣା ଆଶଙ୍କା ଦେଖାଦେଇଛି । ବସ୍ ଟର୍ମିନାଲ ପରିସରରେ ସିସିଟିଭି ସଂଯୋଗୀକରଣ ସହ ଆବଶ୍ୟକ ପୁଲିସ କର୍ମଚାରୀ ନିୟୋଜିତ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।
