ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ଆସନ୍ତାକାଲି ମତଦାନ

ପୁରୀ- ତା. ୨୯.୦୯.୨୦୨୧- ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ଆସନ୍ତକାଲି ମତଦାନ ହେବ । ଆସନ୍ତାକାଲି ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ହେବ । ମତଦାନ ନିମନ୍ତେ ଭୋଟର ମାନଙ୍କ ପାଇଁ ଟେଣ୍ଟ, ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା, ସୁରକ୍ଷା କର୍ମୀ ମୁତୟନ ଓ କୋଭିଡ କଟକଣା ନିର୍ଦ୍ଦେଶାବଳୀ ପାଳନ ସମ୍ବନ୍ଧୀୟ ସମସ୍ତ ଆନୁଷଙ୍ଗୀକ ବନ୍ଦୋବସ୍ତ କରାଯାଇଛି । ପୋଷ୍ଟାଲ ବାଲାଟ ମାଧ୍ୟମରେ ୧୦୭୭ ମଧ୍ୟରୁ ୯୨୪ ଜଣ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ମତଦାନ କରିଛନ୍ତି । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।ଆସନ୍ତାକାଲି ବିଳମ୍ବିତ ସନ୍ଧ୍ୟାରେ ପୋଲିଂ ପାର୍ଟିମାନଙ୍କ ଠାରୁ ୱେର ହାଉସ ଠାରେ ଇଭିଏମ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯିବ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସମର୍ଥ ବର୍ମା ସମସ୍ତ ଆୟୋଜନର ସମୀକ୍ଷା କରିଛନ୍ତି । ଆସନ୍ତ ୩ ତାରିଖରେ ଭୋଟଗଣତି କରାଯାଇ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସହଯୋଗ କରିବାକୁ ଭୋଟର ମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ସୁମନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *