କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରୋଧ ନେଇ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ, ୨୪ ଅଗଷ୍ଟ: କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗର ସମାଧାନ ସମ୍ପର୍କିତ ‘Sexual Harassment of Women at Workplace (Prevention, Prohibition and Redressal) Act, 2013’ ଉପରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦଭାବନା ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ନିଶ୍ଚିତ କରିବା ସହ ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ବୁଝାମଣା ବୃଦ୍ଧି କରିବା।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନର ବିଭିନ୍ନ ରୂପ, ଏହାର ପ୍ରତିରୋଧ ପାଇଁ ଗ୍ରହଣୀୟ ପଦକ୍ଷେପ, କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅଧିକାର ଏବଂ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଆଇନ ଅନୁଯାୟୀ ଅଭିଯୋଗ ଦାଖଲ ଓ ତାହାର ଉପଯୁକ୍ତ ସମାଧାନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।କାର୍ଯ୍ୟସ୍ଥଳରେ ଅଭିଯୋଗର ତଦନ୍ତ ଓ ସମାଧାନ ପାଇଁ ଗଠିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaints Committee)ର ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଅଭିଯୋଗ ପ୍ରକ୍ରିୟାରେ ଗୋପନୀୟତା, ନିରପେକ୍ଷତା ଓ ସମ୍ବେଦନଶୀଳତା ରକ୍ଷା କରିବା ସହ ଯୌନ ଉତ୍ପୀଡ଼ନ ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ କରିବା ଉପରେ ଆଲୋକପାତ କରାଯାଇଥିଲା।ମହିଳାମାନେ ଯେପରି କାର୍ଯ୍ୟସ୍ଥଳରେ ନିରାପଦ, ସମ୍ମାନଜନକ ଓ ଭୟମୁକ୍ତ ପରିବେଶରେ କାର୍ଯ୍ୟ କରିପାରିବେ, ସେଥିପାଇଁ ସମସ୍ତଙ୍କ ମିଳିତ ଦାୟିତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଆଇନର ବ୍ୟବସ୍ଥା ସମ୍ପର୍କରେ ନିୟମିତ ସଚେତନତା ଓ ପ୍ରଶିକ୍ଷଣ ଏକ ସୁରକ୍ଷିତ ଏବଂ ଲିଙ୍ଗ-ସମ୍ବେଦନଶୀଳ କାର୍ଯ୍ୟ ପରିବେଶ ଗଠନରେ ସହାୟକ ହେବ ବୋଲି ଆଲୋଚନା କରାଯାଇଥିଲା।ଏହି ଅବସରରେ ମହିଳା ଓ ଶିଶୁଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସହାୟତା ଓ ଜରୁରୀକାଳୀନ ହେଲ୍ପଲାଇନ୍ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଜରୁରୀକାଳୀନ ହେଲ୍ପଲାଇନ୍–୧୧୨, ମହିଳା ହେଲ୍ପଲାଇନ୍–୧୮୧, ଚାଇଲ୍ଡ ହେଲ୍ପଲାଇନ୍–୧୦୯୮ ଏବଂ ସୁଭଦ୍ରା ହେଲ୍ପଲାଇନ୍–୧୪୬୭୮ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଙ୍ଗୀତା ପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମ କବାଟ, ସରକାରୀ ଓକିଲ ଶ୍ରୀ ଗଣେଶ କୁମାର ବେହେରା, ଆଇନଜୀବୀ ଶ୍ରୀ ହରିହର ପଣ୍ଡା ଓ ଆଇନଜୀବୀ ଶ୍ରୀମତୀ ମାନସୀ ମହାପାତ୍ରଙ୍କ ସମେତ ବିଭିନ୍ନ ଅଧିକାରୀ ଓ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।
