ନିଯୁକ୍ତି ନାମରେ 24 ଲକ୍ଷ ଟଙ୍କା ଠକେଇ

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରଦାନ ନାମରେ ଟିଟିଲାଗଡ଼ ସହରର ଏକ ପରିବାର ଠାରୁ ପ୍ରାୟ 24 ଲକ୍ଷ ଟଙ୍କା ଠକାମୀ ହୋଇଥିବା ଅଭିଯୋଗ ହୋଇଛି l ଏନେଇ ଟିଟିଲାଗଡ଼ ଥାନା ପୁଲିସ ଅଭିଯୁକ୍ତ ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଶୁଖା ଗ୍ରାମର ସୁରେଶ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ ସହ କୋର୍ଟ ଚାଲାଣ କରିଛି l ଏନେଇ ଅଭିଯୋଗରୁ ପ୍ରକାଶ ଯେ ସହରର ବ୍ଲକ ପଡାର ଜନୈକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପରିବାର ସହ ଘନିଷ୍ଠତା ବଢ଼ାଇ ଚାକିରୀ କରେଇ ଦେବା ନାମରେ ବଲାଙ୍ଗିର ଟାଟା ପାୱାରରେ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଭିଯୁକ୍ତ ସୁରେଶ ପାଣ୍ଡେ ଡିସେମ୍ବର 2022ରୁ ବିଭିନ୍ନ ସମୟରେ ମୋଟ 22 ଲକ୍ଷ 27 ହଜାର ଟଙ୍କା ଠକେଇ କରି ନେଇଯାଇଥିଲେ l ପୀଡିତ ଅନଲାଇନ ଜରିଆରେ ଟଙ୍କା ପ୍ରଦାନ କରିଥିଲେ l ଏହା ସହ ଏକ ସ୍କୁଟି ଏବଂ ଆଇ ଫୋନ ମଧ୍ୟ ଅଭିଯୁକ୍ତ ନେଇଥିଲେ l ପୀଡିତ ପରିବାରର ଝିଅ ଅଲିଶା ମୁଣ୍ଡାଙ୍କୁ ଏମ୍ସରେ ନର୍ସ ଚାକିରୀ ଏବଂ ଏବଂ ତାଙ୍କ ଭାଇ ରାହୁଲ ମଣ୍ଡଳଙ୍କୁ ଟ୍ରେନର ଲୋକୋ ପାଇଲଟ ଚାକିରୀରେ ନିଯୁକ୍ତି ପ୍ରଦାନ ପାଇଁ ଅଭିଯୁକ୍ତ ପ୍ରତିଶୃତି ଦେଇଥିଲେ l ତେବେ ଚାକିରୀ ନପାଇବାରୁ ଗତ ବର୍ଷ ଜୁଲାଇରୁ ଟଙ୍କା ମାଗି ଚାଲିଥିବା ବେଳେ ଅଭିଯୁକ୍ତ ଦିନ ଗଡ଼ାଇ ଚାଲିଥିଲେ l ଏହାକୁ ନେଇ ପୀଡିତା ଅଲିଶା ଏବଂ ରାହୁଲଙ୍କ ମାଁ ଗୀତାଞ୍ଜଳୀ ମୁଣ୍ଡା ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ l

ଏନେଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତକୁ କାବୁ କରିଥିଲେ l ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଅଙ୍କିତା କୁମ୍ଭାର ଏବଂ ଆଇଆଇସି ଶ୍ରୀ. ମନବୋଧ ବିଷଦ ସୂଚନା ଦେଇଥିଲେ l ଅଭିଯୁକ୍ତ ସୁରେଶକୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟ କାହାରି ସମ୍ପୃକ୍ତି ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *