ବ୍ରହ୍ମପୁରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା
ବ୍ରହ୍ମପୁରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ଭଗବାନ ଭରସାରେ ଚାଲିଛି ବ୍ରହ୍ମପୁର : – ୧୦/୯/୨୦୨୪ ବ୍ରହ୍ମପୁର ସହରର ଯେ କୌଣସି ଜାଗାକୁ ଯାଇ ଘେରାଟିଏ ମାରି ଆସନ୍ତୁ,ସେ ଗେଟ ବଜାର ହେଉ କିମ୍ବା ସିଟି ହସ୍ପିଟାଲ, କମାପଲ୍ଲୀ ମାର୍କେଟ, ବଡବଜାର, ଅନ୍ନପୂର୍ଣ୍ଣା ମାର୍କେଟ, ସାନ ବଜାର, ବିଜିପୁର, ଗୋସାଣିନୁଆଗାଁ କିମ୍ବା ଆସ୍କା ରୋଡ ହେଉ ସବୁଠାରେ ଆପଣ ଟ୍ରାଫିକ ଜାମର ତିକ୍ତ ଅନୁଭୂତି ନେଇ ଫେରିବେ ହିଁ ଫେରିବେ। ଆପଣଙ୍କୁ ଲାଗିବ ଏଠାରେ ସାଧାରଣ ପ୍ରଶାସନ, ପୁଲିସ ପ୍ରଶାସନ କିମ୍ବା ଶାସନ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ଥିବାର ହୃଦବୋଧ ହେବ ନାହିଁ । କାରଣ ବ୍ରହ୍ମପୁର ଟ୍ରାଫିକ ସମସ୍ୟା ଯେଉଁ ସ୍ତରକୁ ଗଲାଣି ତାହା ପୋଲିସ ଆଉ ପ୍ରଶାସନର ନିୟନ୍ତ୍ରଣର ଭିତରେ ଥିଲା ଭଳି ଲାଗୁ ନାହିଁ ବରଂ ଏହା ସବୁ ଶୃଙ୍ଖଳାର ବାହାରକୁ ଚାଲି ଗଲାଣି। ପିକ୍ ଆୱାରରେ ପରିସ୍ଥିତି ଅତ୍ୟନ୍ତ ଜଟିଳ। ବେଳେ ବେଳେ ଉପସ୍ଥିତ ଟ୍ରାଫିକ ପୋଲିସକୁ ଭିଡ଼କୁ ନିୟନ୍ତ୍ରଣ କରିବାକୁ ନାକେଦମ୍ ହେବାକୁ ପଡୁଛି। ଏପରି ସ୍ଥଳେ ସମ୍ପୂର୍ଣ ସହରର ଯେଉଁ ସ୍ଥାନକୁ ଆପଣ ଯାଆନ୍ତୁ କେଉଁଠି ନା କେଉଁଠି ଆପଣ ଟ୍ରାଫିକ ଜାମରେ ଫସି ତିକ୍ତ ଅନୁଭୂତି ନେଇ ଫେରିବେ। ରାସ୍ତା କଡ ଖୁଚୁରା ବେପାରି, ବୁଲା ବିକାଳି ଓ ଠେଲା ଗାଡି ବିକାଳି ସମ୍ପୂର୍ଣ ସହରକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଲେଣି । ତାଙ୍କୁ ଦାୟୀ କଲାବେଳେ ଜୀବନ ଜୀବିକା କଥା ସାମ୍ନାକୁ ଆସିଛି। ଏପଟେ ଲୋକେ ଟ୍ରାଫିକ ଜାମ ସମସ୍ୟା ଭୋଗିବା ସହ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ପରିଲକ୍ଷିତ ହେଉଛି। ସ୍ଥଳ ବିଶେଷରେ ଅମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି। ବ୍ରହ୍ମପୁର ଟ୍ରାଫିକ ଦୁର୍ଦ୍ଦଶା ଭଗବାନ ଚାହିଁଲେ ମଧ୍ୟ ସୁଧାର ଆଣିପାରିବେ କି ନାହିଁ ଏ ପରିସ୍ଥିତିରେ କହିବା କଷ୍ଟ। ବିଭିନ୍ନ ଅଞ୍ଚଳରେ ଓ ଜାଗାରେ ସମସ୍ତ ପ୍ରକାର ଭିତ୍ତିଭୂମିରେ ଓ ମୌଳିକ ସୁବିଧାରେ ସଜ୍ଜିତ ସହରୀ ହାଟ ନିର୍ମାଣ କରି ସଂପୃକ୍ତ ଅଞ୍ଚଳର ରାସ୍ତା କଡ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବାର ଆବଶ୍ୟକତା ରହିଛି। ଏହି ସମସ୍ୟା ନେଇ ପ୍ରଶାସନ, ଜନ ପ୍ରତିନିଧି ଓ ରାଜନୈତିକ ବ୍ୟକ୍ତିତ୍ଵ ମାନେ ଯେଉଁଭଳି ସଚେତନ ଓ ସମ୍ବେଦନଶୀଳ ରହିବା କଥା ତାହା ପରିଦୃଶ୍ୟ ହେଉ ନାହିଁ। ଅପନ୍ତରା ଜାଗା ଓ ପରିତ୍ୟକ୍ତ ସ୍ଥାନରେ ଏବଂ କୁତ୍ସିତ ପରିବେଶରେ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରି ସମସ୍ୟାକୁ ସମାଧାନ କରିବା ବଦଳରେ ଅଧିକ ବଢ଼ାଯଉଚି।

ଉପଯୁକ୍ତ ସ୍ଥାନରେ ସରକାରୀ ଜାଗାକୁ ଚିହ୍ନଟ କରି ସହରୀ ହାଟ ନିର୍ମାଣ କରାଯାଉ ଯାହା ଫଳରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ସେଠାରେ ଖରିଦ୍ ଦାରୀ ଓ ବ୍ୟବସାୟ କରିବାକୁ ପସନ୍ଦ କରିବେ। ସୁତରାଂ ସରକାର, ପ୍ରଶାସନ, ବିଏମସି ଓ ପୋଲିସ ମିଳିତ ଭାବରେ ସମନ୍ୱୟ ରକ୍ଷା କରି ଏହି ସମସ୍ୟାର ସମାଧାନ ସୂତ୍ର ବାହାର କରିବାର ସମୟ ଆସିଯାଇଛି।ଇଚ୍ଛା ଥିଲେ ଉପାୟ ଅଛି। କିନ୍ତୁ ଆମ ପ୍ରଶାସକ, ରାଜନେତା ଓ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଏ ଇଚ୍ଛା ଶକ୍ତି ଜାଗ୍ରତ କରିବ କିଏ। ଏଇଟା ହିଁ ବଡ କଥା। ତେଣୁ ବେଳ ଥାଉ ଥାଉ ପ୍ରଶାସନ ଏହାକୁ ସଜାଡି ସହର ବାସୀଙ୍କୁ ଏହି ଯନ୍ତ୍ରଣା ରୁ ମୁକ୍ତି ଦେବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ ରଖାଯାଇଛି।
