ମୋ ସରକାର କକ୍ଷ ଶୁଭାରମ୍ଭ ୬ ଜଣ ଭିନ୍ନକ୍ଷମ ଉଚ୍ଚଶିକ୍ଷିତା ମହିଳା ନିଯୁକ୍ତି

ପୁରୀ- ତା.୦୬.୧୦.୨୦୨୧- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଜନସାଧାରଣ ହିଁ ଶାସନ ବ୍ୟବସ୍ଥାର ମୁଖ୍ୟ ଓ ଗଣତନ୍ତ୍ରର ପ୍ରତିଟି ଅନୁଷ୍ଠାନ ସେମାନଙ୍କ ନିମନ୍ତେ ସମର୍ପିତ । ସେମାନଙ୍କୁ ଉତ୍ତମ ସେବା ଦେବା ସହ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ୍ୟତା ଭିତ୍ତିରେ ସାମିଲ କରାଯିବ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ୨୫ଟି ବିଭାଗର ୨୨୭ଟି ଯୋଜନା ଯାରି ରହିଛି । ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ସବିଶେଷ ବିବରଣୀ ରଖାଯିବ । ସେମାନଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରାଯିବ । ସେମାନଙ୍କୁ ମେସେଜ ନମିଳିଲେ ସେମାନେ ୧୪୫୪୫ କୁ କଲ କରି ପଞ୍ଜିକରଣ କରିପାରିବେ । ସଂପୃକ୍ତ ହିତାଧିକାରୀଙ୍କୁ ମୋ ସରକାର କକ୍ଷରୁ ଯୋଗାଯୋଗ କରାଯାଇ ଉତ୍ତମ ବ୍ୟବହାର ଓ କାର୍ଯ୍ୟ ସମ୍ବନ୍ଧୀୟ ମତାମତ ନିଆଯିବ । ଏହି କକ୍ଷ ପୂର୍ବରୁ ଅନ୍ୟ ଏକ ସ୍ଥାନରେ କାର୍ଯ୍ୟକ୍ଷମ ଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂଲଗ୍ନ କକ୍ଷରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ଏଥିନିମନ୍ତେ ୬ ଜଣ ଉଚ୍ଚ ଶିକ୍ଷିତା ଭିନ୍ନକ୍ଷମ ମହିଳାଙ୍କୁ ଉକ୍ତ କକ୍ଷରେ ନିଯୁକ୍ତ ଦିଆଯାଇଛି । ବିଭିନ୍ନ ସେବା ସଂକ୍ରାନ୍ତରେ ତଥ୍ୟ ନିମନ୍ତେ କାର୍ଯ୍ୟାଳୟ ଖୋଲାଥିବା ସମୟରେ ୮୪୮୦୧୫୬୮୭୧ ସହ ଯୋଗାଯୋଗ କରିପାରିବେ । ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ସେହିଭଳି ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଲିପ୍ଟ, ପାର୍କିଂ ଓ ପାନୀୟ ଜଳ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଡେପୁଟି କଲେକ୍ଟର ଶ୍ରୀମତୀ ଇତିଶ୍ରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *