ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଯାପିତ
ଛତ୍ରପୁର:-୨୪/୦୯( ) ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ପୋର୍ଟ୍ସ ଷ୍ଟାଡିୟମ୍ (ଖେଳ ପଡିଆ ) ଠାରେ ଗତ ତିନିଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ମଙ୍ଗଳ ବାର ଦିନ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ବାର୍ତ୍ତା ପ୍ରସାର ପ୍ରଚାର ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ମୁଖ୍ଯ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଆଜି ଉଦଯାପନ ଦିବସର ସଂଧ୍ୟାରେ ସୁନାମଧନ୍ୟ କଳାକାରଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭୁବନେଶ୍ବରର ଲୋପାମୁଦ୍ରା ଓ ମାନସୀ, ରକ୍ ଷ୍ଟାର ସଂଗୀତଜ୍ଞ ହିମାଂଶୁ, ସମ୍ବଲପୁରୀ ସଂଗୀତଜ୍ଞ ନୀଲୁ ଓ ଛତ୍ରପୁରର ବିଶିଷ୍ଟ ସଙ୍ଗୀତଜ୍ଞ ଗଣେଶ ପଟ୍ଟନାୟକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ବ୍ୟତୀତ ଧରାକୋଟ ହରିପ୍ରିୟାପୁର ଦେବେନ୍ଦ୍ର ନାଥ ଦାଶ ଓ ତାଙ୍କ ଦଳ ତରଫରୁ ଦାଶକାଠିଆ, ବ୍ରହ୍ମପୁର ଓଙ୍ଗହର ମୃତ୍ୟାୟନ ଦ୍ବାରା ଓଡିଶୀ, ପ୍ରଜ୍ଞା ସଙ୍ଗୀତ ଏବଂ ନୃତ୍ୟାୟନ କେନ୍ଦ୍ର ଭଞ୍ଜନଗର ଦ୍ବାରା ସମ୍ବଲପୁରୀ ନୃତ୍ୟ, ପ୍ରଗତି କଳା କେନ୍ଦ୍ର ଛତ୍ରପୁର ଦ୍ବାରା ନବଦୂର୍ଗା ନାଚ, ଷ୍ଟେର ଅର୍କେଷ୍ଟ୍ରା ଭୁବନେଶ୍ବର ଦ୍ବରା ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍ ଘୋଷକ ଦୀପକ ପୃଷ୍ଟିଙ୍କ ଦ୍ବାରା ଉଦ୍ଘୋଷଣା କରାଯାଇଥିଲା । ଉଦଯାପନୀ ଦିବସରେ ବିକାଶ ମେଳାରେ ପ୍ରବଳ ଜନସମାଗମ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
