ସହରକୁ ସ୍ଵଛ ରଖିବାରେ ବିଇଏମସି ଫେଲ୍
ସହରକୁ ସ୍ଵଛ ରଖିବାରେ ବିଇଏମସି ଫେଲ୍ !ବାର୍ତ୍ତା ପ୍ରବଳ, ସ୍ଵଛତାରେ ଦୁର୍ବଳ !ସ୍ଵଛତା ସାଂସ୍କୃତିକ ମହୋତ୍ସବ କାହା ସ୍ୱାର୍ଥରେ ?ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱଚ୍ଛତା ସାଂସ୍କୃତିକ ମହୋତ୍ସବ । ସ୍ଵଛତା ପକ୍ଷ ପାଳନ ଅବସରରେ ବିଇଏମସି ତରଫରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏଥିରେ ମେୟରଙ୍କ ଠାରୁ ଆରମ୍ଭ କରି କମିଶନର, ସ୍ଥାନୀୟ ବିଧାୟକଙ୍କ ସମେତ ସହରର ବହୁ କର୍ପରେଟର ସାମିଲ ହୋଇଥିଲେ। ସ୍ଥାନୀୟ ଗାନ୍ଧୀ ନଗର ଉପରସ୍ତ ମାର୍ଗ ତଥା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ନିକଟରେ ସକାଳ ୬ ଘଣ୍ଟ ୩୦ ମିନଟ୍ ଠାରୁ ୯.୩୦ ମିନଟ୍ ପର୍ଯ୍ୟନ୍ତ ଜାରି ରହିଥିଲା କାର୍ଯ୍ୟକ୍ରମ। ବଡ କଥା ହେଉଛି, ବ୍ରହ୍ମପୁର ମହାନଗର ନିଗମ ଯଦିଓ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲା କିନ୍ତୁ ଏହାକୁ ନେଇ ପ୍ରଚାର ପ୍ରସାର କରାଯାଇନଥିବାରୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇନଥିବା ଅଭିଯୋଗ ହୋଇଛି। ମନୋରଞ୍ଜନ ସହ ସହରବାସୀଙ୍କୁ ସ୍ଵଛତା ଦିଗରେ ସଚେତନ କରିବାକୁ ପ୍ରୟାସ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କୁହାଯାଉଥିବା ବେଳେ ମଞ୍ଚରେ ସେହିଭଳି କିଛି ଚିତ୍ର ଦେଖିବାକୁ ମିଳିନଥିବା ଜଣାପଡିଛି। କେବଳ କିଛି କଣ୍ଠଶିଳ୍ପୀଙ୍କ ସଙ୍ଗୀତ ଜରିଆରେ ହିଁ ଏହି କାର୍ଯ୍ୟକ୍ରମ ସୀମିତ ରହିଥିଲା। ଯଦିଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଅଧିକାରୀ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇ ମଞ୍ଚ ରେ ସ୍ଵଛତାର ବାର୍ତ୍ତା ଦେଇଥିଲେ, କିନ୍ତୁ ଶୁଣିବାକୁ ଲୋକ ନଥିଲେ। କିଛି ହାତ ଗଣତି ନେତା ଓ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ମହୋତ୍ସବ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସତ କିନ୍ତୁ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ ହେବାକୁ ବାର୍ତ୍ତା ଦିଆଯିବା ବି ଗୁରୁତ୍ୱ ବହନ କରୁଛି। ବାସ୍ତବ କଥା ହେଉଛି, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଟିକସ ଆଦାୟ କରାଯାଉଛି। ବର୍ଦ୍ଧିତ ଟିକସ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ରହିଛି। କିନ୍ତୁ ଲୋକଙ୍କ ଅର୍ଥରେ ମହୋତ୍ସବ କରି କୁଆଡେ କେବଳ ବାହା ବାହା ନେବାକୁ ଉଦ୍ୟମ କରୁଛି ବିଇଏମସି। ଖାସ୍ କରି ବିଇଏମସି ପକ୍ଷରୁ ସ୍ଵଛତା ଦିଗରେ ସେହିଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯିବାର ନଜିର ନାହିଁ। ସହରର ବିଭିନ୍ନ ସ୍ଥାନରେ ନିୟମିତ ସଫେଇ ହେଉନଥିବାରୁ ସାରା ସହର ଦୁର୍ଗନ୍ଧ ରେ ଫାଟି ପଡୁଛି। ନିୟମିତ ଡ୍ରେନ୍ ସଫେଇ କଥା ନ କହିଲେ ଭଲ। ସ୍ୱଳ୍ପ ବର୍ଷା ରେ ମଧ୍ୟ ଡ୍ରେନ୍ ର ସଠିକ୍ ଭାବେ ଜଳ ନିଷ୍କାସନ ହେଉନଥିବାରୁ ଲୋକଙ୍କ ଘରେ ନାଳ ପାଣି ପଶୁଛି। ସେହିପରି ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ରହୁଥିବା ବେଳେ ଏସବୁକୁ ଉଠାଇବାରେ ବିଇଏମସି ପକ୍ଷରୁ ଧ୍ୟାନ ଦେଉନଥିବାର ଅଭିଯୋଗ ବି ଅନେକ ବାର୍ ହୋଇଛି। କେବଳ ବାର୍ତ୍ତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଟକି ରହିଛି ରେଶମ ସହରର ସ୍ଵଛତା। ଯାହାକୁ ନେଇ ଏବେ ବ୍ରହ୍ମପୁର ସହରବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଆଲୋଚନା ହେଉଛି, ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ବଦଳରେ କେବଳ ସ୍ଵଛତାକୁ ଯଦି ଗୁରୁତ୍ୱ ଦିଆଯାଇଥାନ୍ତା ଏବଂ ଲୋକ ମାନଙ୍କ ମଧ୍ୟରେ ଏହି ବାର୍ତ୍ତା କୁ ପହଂଚା ଯାଇଥାନ୍ତା ତେବେ ଏହାର ସୁଫଳ ମିଳିପାରିଥାନ୍ତା। ଏବଂ ଏଭଳି କାର୍ଯ୍ୟକ୍ରମରୁ ଦୁରେଇ ରହି ବାସ୍ତବରେ ସ୍ଵଛତାକୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦେବାକୁ ସହରବାସୀ ଦାବି କରିଛନ୍ତି।
