ସାଗର ତଟ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ପାଳିତ
ପୁରୀ- ତା. ୦୭.୧୦.୨୦୨୧– ସାଗର ତଟ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ବ୍ଲୁଫ୍ଲାଗ ବିଚରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଓ ଖାଉଟି ବ୍ୟାପାର, ସାଧାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ଚୌବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରିବେଶ ଓ ସାମୁଦ୍ରିକ ତଟ ତଥା ଜଳ ଜୀବ ମାନଙ୍କ ସୁରକ୍ଷା ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆହ୍ବାନ ଦେଇଛନ୍ତି । ମାନବ ସମାଜ ତିଷ୍ଠି ରହିବାକୁ ପରିବେଶ ସୁରକ୍ଷାର ନିତାନ୍ତ ଆବଶ୍ୟକ। ବ୍ଲୁଫ୍ଲାଗ ବିଚ ପ୍ରତି ପର୍ଯ୍ୟଟକ ମାନେ ଆକୃଷ୍ଟ ହେଉଥିବା ଦୃଷ୍ଟିରୁ ଦେଶରେ ଅଧିକ ବ୍ଲୁ ଫ୍ଲାଗ ବିଚ୍ ସୃଷ୍ଟି କରାଯିବ । ପୁରୀ ବିଚରେ ଉପଲବ୍ଧ ସୁବିଧାକୁ କେନ୍ଦ୍ରମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବାଗତ ଭାଷଣ ପ୍ରଦାନ କରି ବେଳାଭୂମିରେ ଉପଲବ୍ଧ ସେବା ଓ ସୁବିଧା ସଂପର୍କରେ ସୂଚନା ଦେଇଥିଲେ । ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅର୍ଥନୀତି ଉପରେ ପର୍ଯ୍ୟଟନ କ୍ଷେତ୍ରର ସକରାତ୍ମକ ପ୍ରଭାବ ରହିଥିବାରୁ ଏହାର ବିକାଶ ନିମନ୍ତେ ସେ ମତବ୍ୟକ୍ତ କରିଥିଲେ । ସେହିଭଳି ପୁରୀ ବିଧାୟକ ପୁରୀ ଉଭୟ ପର୍ଯ୍ୟଟନ ଓ ତୀର୍ଥସ୍ଥାନ ନିମନ୍ତେ ପରିଚିତ ବୋଲି କହିଥିଲେ । ବେଳାଭୂମି ଅନେକ ଲୋକଙ୍କ ପାଇଁ ଭାତହାଣ୍ତି ବୋଲି ଅଭିହିତ କରିଥିଲେ । ଅନ୍ୟପକ୍ଷରେ ସିକମ(SICOM) ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସନ୍ଦିପ ଏବଂ ଡିଆଇଜିଏଫ (କେନ୍ଦ୍ରୀୟ) ଶ୍ରୀମତୀ ପଦ୍ମା ମହାନ୍ତି ଅଭିଭାଷଣ ପ୍ରଦାନ କରିଥିଲେ । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଇକୋଟ୍ୟୁରିଜିମର ଶ୍ରୀ ଯୁଗବ୍ରତ କରଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବେଳାଭୂମି ଉନ୍ନୟନ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାତଃ ସମୟରେ ମାନ୍ୟବର ମନ୍ତ୍ରୀ ଓ ଅତିଥି ମାନେ ବେଳାଭୂମି ସଫେଇ ସହ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରିୟ ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଯୋଗ ଦେଇଥିବା ବେଳେ ଡିଏଫଓ ପି. ରାମାସ୍ବାମୀ ଧନ୍ୟବାଦ ଅର୍ପଣ କରିଥିଲେ ।
